ୟୁଏସ ନେଭିସିଲ୍‌ ପରି ଏକ ଏଲିଟ କମାଣ୍ଡୋ ବାହିନୀ ଗଠନ କରୁଛି ଭାରତ,ନଭେମ୍ବର ସୁଦ୍ଧା କାର୍ଯ୍ୟାରମ୍ଭ କରିବ

ନୂଆଦିଲ୍ଲୀ : ଆମେରିକାର ନେଭି ସିଲ ଏଲିଟ କମାଣ୍ଡୋ ବାହିନୀ ଢାଞ୍ଚାରେ ଭାରତ ମଧ୍ୟ ଏକ ଏଲିଟ କମାଣ୍ଡୋ ବାହିନୀ ଗଠନ କରିବ । ଏହି ବାହାନୀ ଶତ୍ରୁ ସୀମାରେ ପଶି ସର୍ଜିକାଲ ଷ୍ଟ୍ରାଇକ ପରି ଅପରେସନ କରିପାରିବ । ଆମେରିକାର ନେଭି ସିଲ ଯେପରି ବିଶ୍ୱର ଯେକୌଣସି ସ୍ଥାନରେ ପଶି ଅପରେସନ କରିବାକୁ ସକ୍ଷମ ଭାରତର ଏହି ନୂଆ ବାହିନୀକୁ ସେଭଳି ତାଲିମ ଦିଆଯିବ । ୟୁଏସ ନେଭି ସିଲ୍‌ ପାକିସ୍ତାନରେ ପଶି ଓସାମା ବିନ ଲାଡେନକୁ ହତ୍ୟା କରିଥିଲା ।

ଏହି ନୂଆ ଏଲିଟ କମାଣ୍ଡୋ ବାହିନୀର ନାଁ ରଖାଯାଇଛି ଆର୍ମଡ ଫୋର୍ସେସ ସ୍ପେଶିଆଲ ଅପରେସନ ଡିଭିଜନ । ଆସନ୍ତା ନଭେମ୍ବର ସୁଦ୍ଧା ଏହା ଗଠନ ହୋଇଯିବ ବୋଲି ଜଣାପଡିଛି । ଏଥିରେ ତିନି ବାହିନୀରୁ ବଛା ବଛା କମାଣ୍ଡୋଙ୍କୁ ଆଣି କଠୋର ତାଲିମ ଦିଆଯିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ନୌସେନାର ମାର୍କସ ଓ ବାୟୁସେନାର ଗରୁଡ଼ କମାଣ୍ଡୋଙ୍କୁ ଆଣି ତାଲିମ ଦିଆଯିବ । ପ୍ରାୟ ୩ ହଜାର କମାଣ୍ଡୋ ଥିବା ଏହି ବାହିନୀର ମୁଖ୍ୟ ଜଣେ ମେଜର ଜେନେରାଲ ପାହ୍ୟାର ଅଧିକାରୀ ରହିବେ । କେବଳ ଏତିକି ନୁହେଁ ଭାରତ ସରକାର ମଧ୍ୟ ଏକ ସାଇବର ଏଜେନ୍ସି ଓ ସ୍ପେଶ ଏଜେନ୍ସି ମଧ୍ୟ ଗଠନ କରିବେ । ସାଇବର ଏେଜେନ୍ସି ବଢିଚାଲିଥିବା ସାଇବର ଆକ୍ରମଣର ମୁକାବିଲା କରିବ ଓ ସ୍ପେଶ ଏଜେନ୍ସି ମହାକାଶରେ ହେବାକୁ ଥିବା ଅପରେସନଗୁଡ଼ିକ ଦାୟିତ୍ୱରେ ରହିବ ।

ଏଠାରେ ସୂଚନାଯୋଗ୍ୟ ଯେ ଭାରତ ସରକାରଙ୍କ ପାଖରେ ଥିବା ବ୍ଲାକ କ୍ୟାଟ କମାଣ୍ଡୋ ବା ଏନଏସଜି କମାଣ୍ଡୋ କେବଳ ଦେଶ ଭିତରେ ହେବାକୁ ଥିବା ଅପରେସନଗୁଡ଼ିକର ମୁକାବିଲା କରିଥାଏ । ବିଦେଶ ମାଟିରେ ଅପରେସନ କରିବାକୁ ସେମାନଙ୍କୁ ତାଲିମ ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର