୧୧ ପାକିସ୍ତାନୀ ବନ୍ଦୀଙ୍କୁ ମୁକ୍ତ କରିପାରେ ଭାରତ
ନୂଆଦିଲ୍ଲୀ: ନଭେମ୍ବର ୨ ତାରିଖରେ ଦଣ୍ଡାଦେଶ ଶେଷ ହେଉଥିବା ୧୧ ଜଣ ପାକିସ୍ତାନୀ ବନ୍ଦୀଙ୍କୁ ଭାରତ ମୁକ୍ତ କରିପାରେ। ଇସ୍ଲାମାବାଦ୍ ସହିତ ଭାରତର ‘ନୋ ଏନ୍ଗେଜ୍ମେଣ୍ଟ୍ ପଲିସି’ ଦୁଇ ଦେଶ ମଧ୍ୟରେ ମାନବୀୟ ମାମଲାରେ କୌଣସି ଅନ୍ତରାୟ ସୃଷ୍ଟି କରୁନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ ମାମଲାରେ ପାକିସ୍ତାନୀ ନାଗରିକମାନଙ୍କ ପ୍ରତି ଭାରତ ମେଡିକାଲ୍ ଭିସା ଅନୁମୋଦନ କରିବ ବୋଲି ଦୀପାବଳି ଦିନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଘୋଷଣା କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।
ସରକାର ଇସ୍ଲାମାବାଦ୍ ସହ କୌଣସି କଥାବାର୍ତ୍ତା କରିବାକୁ ଚାହେଁ ନାହିଁ। ଗତ ସପ୍ତାହରେ ବହୁପାକ୍ଷିକ ଅନୁଷ୍ଠାନରେ ଯୋଗ ଦେବା ନିମନ୍ତେ ପାକିସ୍ତାନ ଅଭିମୁଖେ ଯିବାକୁ ଥିବା ଭାରତୀୟ ତଟରକ୍ଷୀ ବାହିନୀକୁ ଭାରତ ଅନୁମତି ନ ଦେଇ ଏ କଥା ସ୍ପଷ୍ଟ କରିଥିଲା। ପୂର୍ବରୁ ସରକାର ତଟରକ୍ଷୀ ଅଧିକାରୀଙ୍କ ନିମନ୍ତେ ଭିସା ମଗାଇ ସାରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ସେମାନଙ୍କ ଗସ୍ତ ବାତିଲ କରାଇଥିଲେ। ସେ ଯାହାହେଉ ମାନବୀୟ ମାମଲାରେ ଭାରତ ପାକିସ୍ତାନ ପ୍ରତି ଆହୁରି ନମନୀୟ ହେବ ବୋଲି ସରକାରୀ ସୂତ୍ରରୁ ଜଣାପଡ଼ିଛି। ପାକିସ୍ତାନୀ ନାଗରିକମାନଙ୍କୁ ଡାକ୍ତରୀ ଚିକିତ୍ସା ସୁବିଧା କରାଇ ଦେଇ ବାସ୍ତବରେ ସ୍ୱରାଜ ଭାରତ ପ୍ରତି ବହୁ ଆନ୍ତର୍ଜାତିକ ସଦିଚ୍ଛା ସୃଷ୍ଟି କରି ପାରିଛନ୍ତି।
ବନ୍ଦୀମାନଙ୍କ ମାମଲାରେ କିନ୍ତୁ ଭାରତ ଆଦାନପ୍ରଦାନ ଅଥବା ପ୍ରତ୍ୟାର୍ପଣ ଆଧାରରେ କାର୍ଯ୍ୟ କରିବ। ଗତ ଜୁନ୍ ମାସରେ ସଦିଚ୍ଛା ଦୃଷ୍ଟିରୁ ଭାରତ ୧୧ ଜଣ ବନ୍ଦୀଙ୍କୁ ମୁକ୍ତ କରିଥିଲା।
ପାକିସ୍ତାନରେ ଜେଲ୍ ଦଣ୍ଡ ଭୋଗି ସାରିଥିବା ଭାରତୀୟ ବନ୍ଦୀମାନଙ୍କୁ ମଧ୍ୟ ପାକିସ୍ତାନ ଛାଡ଼ି ଚାଲୁ ବୋଲି ଭାରତ ଆଶା କରୁଛି। ସରକାରଙ୍କ କହିବା ଅନୁସାରେ, ପାକିସ୍ତାନୀ ଜେଲ୍ଗୁଡ଼ିକରେ ୧୩୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ସେମାନଙ୍କର ମଧ୍ୟରୁ ଇତି ମଧ୍ୟରେ ୫୭ ଜଣଙ୍କର ଜେଲ୍ ଦଣ୍ଡଭୋଗ କାଳ ସରିଗଲାଣି।
୨୦୦୮ରେ ସ୍ୱାକ୍ଷରିତ ରାଜିନାମା ଅନୁସାରେ ଉଭୟ ଦେଶର ଜେଲ୍ଗୁଡ଼ିକରେ ବନ୍ଦୀ ଥିବା ଅପର ଦେଶର ନାଗରିକମାନଙ୍କ (ସାଧାରଣ ନାଗରିକଙ୍କ ସମେତ ମତ୍ସ୍ୟଜୀବୀ) ତାଲିକା ବଦଳକୁଦଳ କରି ଚାଲୁଥିବେ।