ପୁଲଓ୍ଵାମା: ଦକ୍ଷିଣ କଶ୍ମୀରସ୍ଥିିତ ପୁଲଓ୍ଵାମା ଜିଲ୍ଲାର ରତନିପୋରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହେବାରୁ ଜଣେ ଯବାନ ସହିଦ ହେବା ସହ ଅନ୍ୟ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଯବାନମାନଙ୍କୁ ଚିକିତ୍ସା ସକାଶେ ତୁରନ୍ତ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏହି ମୁହାଁମୁହିଁରେ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା ସୂଚନା ରହିଛି। ସହିଦ ଯବାନ ଜଣକ ହେଉଛନ୍ତି ୫୫ ରାଷ୍ଟ୍ରୀୟ ରାଇଫଲ୍ର ହାବଲଦାର ବଲଜୀତ। ଆହତ ଯବାନଙ୍କ ନାମ ହେଉଛି ଚନ୍ଦ୍ରପାଲ।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଜୈଶ-ଇ-ମହମ୍ମଦର ୩-୪ ଜଣ ଆତଙ୍କବାଦୀ ସଂପୃକ୍ତ ଅଞ୍ଚଳର ଏନ୍କାଉଣ୍ଟର୍ ସାଇଟ୍ରେ ଥିବା ଜାଣିବା ପରେ ଭାରତୀୟ ସେନାର ୫୦ ରାଷ୍ଟ୍ରୀୟ ରାଇଫଲ୍, ସିଆର୍ପିଏଫ୍୍ର ୧୮୨ ବ୍ୟାଟେଲିଆନ୍ ଏବଂ ଏସ୍ଓଜି ପକ୍ଷରୁ ମଙ୍ଗଳବାର ସକାଳୁ ମିଳିତ ଭାବେ ଏକ ସର୍ଚ ଅପରେସନ ଜାରି ହୋଇଥିଲା। ଏହି ଅପରେସନ୍ ସମୟରେ ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଖୋଲାଖୋଲି ଭାବେ ଗୁଳି ଚାଳନା କରିଥିଲେ।
ଏହି ଘଟଣା ପରେ ପୁଲଓ୍ଵାମାରେ ମୋବାଇଲ୍ ସେବା ବନ୍ଦ କରି ଦିଆଯାଇଛି। ସଂପୃକ୍ତ ଅଞ୍ଚଳରେ ପଥର ମାଡ଼ ବଳବତ୍ତର ରହିଛି। ଉଲ୍ଲେଖଯୋଗ୍ୟ, ରବିବାର କୁଲଗାମ ଜିଲ୍ଲାର କେଲମ ଦେବସାର ଅଞ୍ଚଳରେ ସୁରକ୍ଷା ବଳଙ୍କ ଗୁଳିରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।