ଜିନ୍‌ଜିଆଙ୍ଗରେ ଚୀନ୍‌ର ଗୁପ୍ତ ଶିବିର: ୧୦ ଲକ୍ଷ ମୁସଲ୍‌ମାନ ବନ୍ଦୀ

ଶତ୍ରୁ ଭାବେ ବ୍ୟବହାର କରାଯାଉଛି, ଜାତିସଂଘ ମାନବାଧିକାର କମିଟିର ଅଭିଯୋଗ

ଜେନେଭା: ମୁସଲ୍‌ମାନ ବହୁଳ ରାଷ୍ଟ୍ର ପାକିସ୍ତାନ ସହିତ ସଂପର୍କକୁ ମଜଭୁତ କରୁଥିବା ଚୀନ୍‌ ନିଜ ରାଷ୍ଟ୍ରରେ ମୁସ୍‌ଲିମ୍‌ ସମ୍ପ୍ରଦାୟର ଲୋକଙ୍କୁ କଏଦୀ ଭାବେ ରଖିଛି। ସେମାନଙ୍କୁ ଶତ୍ରୁ ଭାବେ ବ୍ୟବହାର କରୁଛି। ଚୀନ୍‌ ଏହାର ଗୁପ୍ତ ଶିବିରଗୁଡ଼ିକରେ ୧୦ ଲକ୍ଷ ଉଇଗର ମୁସଲ୍‌ମାନଙ୍କୁ ବନ୍ଦୀ କରି ରଖିଛି। ସେହିଭଳି ୨୦ ଲକ୍ଷ ମୁସ୍‌ଲିମ୍‌ଙ୍କୁ ବିଭିନ୍ନ ଶିକ୍ଷା ଶିବିରରେ ଜୋରଜବରଦସ୍ତ ରଖାଯାଇଛି। ମିଳିତ ଜାତିସଂଘର ମାନବାଧିକାର କମିଟି ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ଏ ନେଇ କମିଟି ପକ୍ଷରୁ ଜାତିସଂଘରେ ଏକ ରିପୋର୍ଟ ଦାଖଲ ହୋଇଛି। ରିପୋର୍ଟକୁ ନେଇ ଜାତିସଂଘରେ କ୍ଷୋଭପ୍ରକାଶ କରାଯାଇଛି। ଚୀନ୍‌ର ଜିନ୍‌ଜିଆଙ୍ଗ ସ୍ୱୟଂଶାସିତ ଅଞ୍ଚଳରେ ଧର୍ମକୁ ନେଇ ଲୋକଙ୍କୁ ନିର୍ଯାତନା ଦିଆଯାଉଛି। ଶେଷରେ ସେମାନଙ୍କୁ କଏଦୀ କରି ରଖାଯିବା ନିହାତି ପରିତାପର ବିଷୟ ବୋଲି ଜାତିସଂଘ ମାନବାଧିକାର କମିଟି ସଦସ୍ୟ ଗେ ମ୍ୟାକ୍‌ଡଗଲ୍‌ କହିଛନ୍ତି। ତେବେ ଚୀନ୍‌ ପକ୍ଷରୁ କୁହାଯାଇଛି ଯେ ଜିନ୍‌ଜିଆଙ୍ଗ ଅଞ୍ଚଳ ଉପରେ ଆତଙ୍କବାଦୀ ଓ ବିଛିନ୍ନତାବାଦୀଙ୍କ ଟାର୍ଗେଟ୍‌ ରହିଛି। ତେଣୁ ଯେ କୌଣସି ମୁହୂର୍ତ୍ତରେ ସେମାନେ ଆକ୍ରମଣ ଘଟାଇପାରନ୍ତି। ମ୍ୟାକ୍‌ଡଗଲ୍‌ କହିଛନ୍ତି ଯେ ଧାର୍ମିକ ଉଗ୍ରବାଦର ମୁକାବିଲା ଓ ସାମାଜିକ ସ୍ଥିରତା ଆଣିବା ଆଳରେ ଜିନ୍‌ଜିଆଙ୍ଗଠାରେ ଚୀନ୍‌ ପକ୍ଷରୁ ଅନେକ ନକାରାତ୍ମକ ପଦକ୍ଷେପ ନିଆଯାଇଛି। ଜିନ୍‌ଜିଆଙ୍ଗର ଅଧିକାଂଶ ସ୍ଥାନରେ ବେଆଇନ ଭାବେ ଗୁପ୍ତ ଶିବିରମାନ ପ୍ରତିଷ୍ଠା କରାଯାଇ ଲୋକଙ୍କୁ ନାନା ହଇରାଣ ହରକତ କରାଯାଉଛି। ଏହା ମାନବାଧିକାରର ଉଲ୍ଲଂଘନ କରୁଛି। ଏହି ଶିବିରଗୁଡ଼ିକୁ ଚୀନ୍‌ ‘ଅଧିକାରବିହୀନ ଅଞ୍ଚଳ’ ଭାବେ ଘୋଷଣା କରିଛି। ଚୀନ୍‌, ହଂକଂ ଓ ମାକାଉର ବିଭିନ୍ନ ରେକର୍ଡ ସମୀକ୍ଷା ପାଇଁ ଜେନେଭାରେ ଅନୁଷ୍ଠିତ ଦୁଇଦିନିଆ କାର୍ଯ୍ୟକ୍ରମରେ ମ୍ୟାକ୍‌ଡଗଲ୍‌ ଏଭଳି ରିପୋର୍ଟ ଉପସ୍ଥାପନ କରିଛନ୍ତି।

ମ୍ୟାକ୍‌ଡଗଲ୍‌ ରିପୋର୍ଟ ଉପସ୍ଥାପନ କରିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଚୀନ୍‌ର ପ୍ରାୟ ୫୦ରୁ ଊର୍ଧ୍ୱ ଅଧିକାରୀ କୌଣସି ପ୍ରଶ୍ନ ଉଠାଇ ନଥିଲେ। ଏ ନେଇ କୌଣସି ମନ୍ତବ୍ୟ ବି ସେମାନେ ଦେଇନଥିଲେ। ତେଣୁ ଚୀନ୍‌ ପ୍ରକୃତରେ ଏଭଳି କାର୍ଯ୍ୟକଳାପ ଜାରି ରଖିଥିବା ସ୍ପଷ୍ଟ ହୋଇଯାଇଛି। ଅପରପକ୍ଷରେ ଚୀନ୍‌ରୁ ଇସ୍‌ଲାମ୍‌ ଧର୍ମର ମୂଳୋତ୍ପାଟନ ଲାଗି ସରକାରଙ୍କର ଏହା ଏକ ପଦକ୍ଷେପ ବୋଲି ଆଶଙ୍କା କରାଯାଉଛି। ଚୀନ୍‌ର ମାନବାଧିକାର ଅନୁଷ୍ଠାନଗୁଡ଼ିକ ମଧ୍ୟ ଏହାକୁ ନେଇ ବାରମ୍ବାର ଅଭିଯୋଗ ଆଣିଥିବା ସୂଚନା ମିଳିଛି। ଅନ୍ୟ ଏକ ରିପୋର୍ଟ ଦର୍ଶାଇଛି ଯେ ୨୦୧୭ରେ ଚୀନ୍‌ରେ ବିଭିନ୍ନ କାରଣରୁ ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ଜିନ୍‌ଜିଆଙ୍ଗ୍‌ର ୨୧% ଅଛନ୍ତି। ତେଣୁ ଏହି ସ୍ୱୟଂଶାସିତ ଅଞ୍ଚଳରୁ ଲୋକମାନଙ୍କୁ ଉଠାଇ ନିଆଯାଇ ଗୁପ୍ତ ଶିବିରରେ ବନ୍ଦୀ ରଖାଯାଉଥିବା ଆଶଙ୍କା ବଢ଼ିଛି। ବୈଠକରେ ଉପସ୍ଥିତ ଚୀନ୍‌ ରାଷ୍ଟ୍ରଦୂତ ୟୁ ଜିଆନ୍‌ହୁଆ କହିଛନ୍ତି, ଦେଶରେ ସମସ୍ତ ଧାର୍ମିକ ଗୋଷ୍ଠୀ ମଧ୍ୟରେ ଏକତାକୁ ପୁରିସ୍ଫୁଟ କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ଅନ୍ୟପକ୍ଷରେ ମ୍ୟାକ୍‌ଡଗଲ୍‌ କହିଛନ୍ତି, ଉଇଗର ସମ୍ପ୍ରଦାୟ ଓ ଅନ୍ୟ ମୁସ୍‌ଲିମ୍‌ମାନଙ୍କୁ ଚୀନ୍‌ରେ ଶତ୍ରୁ ଭଳି ବ୍ୟବହାର କରାଯାଉଛି। ସେମାନଙ୍କ ଧର୍ମକୁ ଦୃଷ୍ଟିରେ ରଖି ନିର୍ଯାତନା ଦିଆଯାଉଛି। ସେହିଭଳି ଇଜିପ୍ଟ ଓ ତୁର୍କୀରୁ ଉଚ୍ଚଶିକ୍ଷା ହାସଲ କରି ଫେରିଥିବା ୧୦୦ରୁ ଅଧିକ ଉଇଗର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭିଟାମାଟିକୁ ଯିବାକୁ ଦିଆନଯାଇ ଅଟକ ରଖାଯାଇଛି। ଏମାନଙ୍କ ମଧ୍ୟରୁ କିଛି ପ୍ରାଣ ହରାଇଥିବା ବେଳେ ଅନ୍ୟମାନେ ଏବେ ବି ଗୁପ୍ତ ଶିବିରରେ କଏଦୀ ଭାବେ ବଞ୍ଚୁଛନ୍ତି।

ବୈଠକରେ ଏହି ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ପରେ ଜାତିସଂଘ ମାନବାଧିକାର କମିଟି ସଦସ୍ୟ ଫାତିମା-ବିନ୍‌ତା ଡାହ ଚୀନ୍‌ ପ୍ରତିନିଧିଙ୍କୁ ନୋଟିସ୍‌ ଜାରି କରିଥିଲେ। ଜିନ୍‌ଜିଆଙ୍ଗ ଅଞ୍ଚଳରେ ଥିବା ଉଇଗର ଓ ଅନ୍ୟ ମୁସ୍‌ଲିମ୍‌ ସମ୍ପ୍ରଦାୟଙ୍କୁ କି ପ୍ରକାର ଧାର୍ମିକ ସ୍ୱାଧୀନତା ଦିଆଯାଉଛି ଏବଂ ସେମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯାଉଛି ତାହାର ସବିଶେଷ ବିବରଣୀ ଦେବାକୁ କୁହାଯାଇଛି। ଖାଲି ସେତିକି ନୁହେଁ, ତିବ୍ଦତରେ ମଧ୍ୟ ଚୀନ୍‌ ଚଳାଇଥିବା କେତେକ ହିଂସାତ୍ମକ କାର୍ଯ୍ୟକୁ ନେଇ ଜାତିସଂଘ ବୈଠକରେ ଆଲୋଚନା ହୋଇଛି। ତିବ୍ଦତରେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଭାଷା ବ୍ୟବହାର କରିବାକୁ ଦିଆଯାଉ ନାହିଁ।

ସମ୍ବନ୍ଧିତ ଖବର