ବାଙ୍ଗାଲୋର: ନାଗରିକତା ସଂଶୋଧନ ଆଇନ ବିରୋଧରେ ଗୁରୁବାର ସନ୍ଧ୍ୟାରେ ବାଙ୍ଗାଲୋରର ଏକ ରାଲିରେ ପାକିସ୍ତାନ ଜିନ୍ଦାବାଦ କହିଥିବା ଅମୁଲ୍ୟାଙ୍କୁ ହତ୍ୟା କରିବାକୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଛି | ଶ୍ରୀ ରାମ ସେନା ସଂଗଠନର ଜଣେ କାର୍ଯ୍ୟକର୍ତ୍ତା ଏହି ପୁରସ୍କାର ରାଶି ଘୋଷଣା କରିଥିବାବେଳେ ଅମୁଲ୍ୟାଙ୍କୁ ଜେଲରୁ ମୁକ୍ତି ନ କରିବାକୁ ସେ କହିଛନ୍ତି | ଏକ ଭିଡିଓ ଫୁଟେଜ ଜାରି କରି ଶ୍ରୀ ରାମ ସେନାର କାର୍ଯ୍ୟକର୍ତ୍ତା ସଂଜୀବ ମାରଡ଼ି କହିଛନ୍ତି ଯେ ରାଜ୍ୟ ସରକାର ବା କେନ୍ଦ୍ର ସରକାର ଯେ କୌଣସି ପରିସ୍ଥିତିରେ ମଧ୍ୟ ଅମୁଲ୍ୟାଙ୍କୁ ଜେଲରୁ ମୁକ୍ତ ନ କରନ୍ତୁ | ଯଦି ସେ ଜେଲରୁ ଖଲାସ ହୁଅନ୍ତି ତେବେ ତାଙ୍କୁ ହତ୍ୟା କରାଯିବ |
ଯଦି ଅନ୍ୟ କେହି ତାଙ୍କୁ ହତ୍ୟା କରନ୍ତି ସେହି ବ୍ୟକ୍ତିଙ୍କୁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଭାବେ ଅର୍ଥରାଶି ଦିଆଯିବ | ତେବେ ଏହି ଭିଡିଓକୁ ନେଇ ଏସପି କହିଛନ୍ତି ଯେ ଏଭଳି ଭିଡିଓ ବାବଦରେ ସେ ଜାଣିନାହାନ୍ତି | ଏଠାରେ ସୂଚନା ଥାଉ କି ଗୁରୁବାର ଦିନ ବେଙ୍ଗାଲୁରୁରେ ଆୟୋଜିତ ଏକ ସିଏଏ ବିରୋଧୀ ରୢାଲିରେ ଅମୁଲ୍ୟା ନାମ୍ନୀ ଜଣେ ମହିଳା ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ୍ ଦେଇଥିଲେ | ଅମୁଲ୍ୟାଙ୍କ ଦେଶବିରୋଧୀ ସ୍ଲୋଗାନ୍ ପାଇଁ ତାଙ୍କୁ ଗିରଫ କରାଯାଇଥିଲା।
ଅନ୍ୟପଟେ ହିନ୍ଦୁ ସମର୍ଥିତ ଏକ ସଂଗଠନର କିଛି ସଦସ୍ୟ ଅମୁଲ୍ୟାଙ୍କ କର୍ଣ୍ଣାଟକର ଚିକ୍କମଗାଲୁର ସ୍ଥିତ ଘରକୁ ପଥର ଫିଙ୍ଗିବା ସହ ଘର ଭଙ୍ଗାରୁଜା କରିଥିଲେ । ଅମୁଲ୍ୟାଙ୍କ ବାପା ଓସଭଲାଡ ନରୋହନା ତାଙ୍କ ଝିଅର ଭୁଲ୍ ପାଇଁ କ୍ଷମା ମାଗିଥିଲେ। ତାଙ୍କ ବାପା କହିଥିଲେ ଯେ , ସେ ତାଙ୍କ ଝିଅକୁ କୌଣସି ଆଇନଗତ ସହଯୋଗ କରିବେନି। ତାଙ୍କ ଝିଅ ଜେଲ୍ରେ ରହୁ ବୋଲି ସେ କହିଛନ୍ତି। ଏହି ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା କହିଥିଲେ ଯେ, ଅମୁଲ୍ୟାଙ୍କୁ ଜାମିନ ନମିଳିବା ଉଚିତ୍। ତାଙ୍କର ମାଓବାଦୀଙ୍କ ସହ ସମ୍ପୃକ୍ତି ଅଛି। ତାଙ୍କୁ ଉଚିତ୍ ଦଣ୍ଡ ମିଳିବା ଉଚିତ୍ ବୋଲି ୟେଦ୍ୟୁରପ୍ପା କହିଥିଲେ ।