କପି ବନ୍ଦ, ପରୀକ୍ଷା ଦେଇ ଲାଭ କଣ ?

ୟୁପିରେ ୧୦ ଲକ୍ଷ ପିଲା ଅଧାରୁ ବୋର୍ଡ ପରୀକ୍ଷା ଛାଡ଼ିଲେ

ନୂଆଦିଲ୍ଲୀ : ବୋଧହୁଏ କପି କରିବାକୁ ଉତ୍ତରପ୍ରଦେଶର ଛାତ୍ରଛାତ୍ରୀମାନେ ପରୀକ୍ଷା ବ୍ୟବସ୍ଥାର ଏକ ଅବିଚ୍ଛେଦ୍ୟ ଅଂଗ ବୋଲି ଭାବୁଛନ୍ତି । କପି ସୁଯୋଗ ନମିଳିଲେ ପରୀକ୍ଷା ଦେଇ ଲାଭ କଣ ବୋଲି ଭାବୁଛନ୍ତି । ଏବର୍ଷ ଉତ୍ତରପ୍ରଦେଶ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସମ୍ପୂର୍ଣ୍ଣ କପିମୁକ୍ତ କରିବାକୁ ଯୋଗୀ ସରକାର କଡା ପଦକ୍ଷେପ ନେଇଛନ୍ତି । ପ୍ରତି ପରୀକ୍ଷା କେନ୍ଦ୍ରରେ ସିସି ଟିଭି କ୍ୟାମେରା ଲଗାଯାଇ ନଜର ରଖାଯାଉଛି । କିନ୍ତୁ ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ଅନେକ ପରୀକ୍ଷାର୍ଥୀ ଅଧାରୁ ପରୀକ୍ଷା ଛାଡୁଛନ୍ତି । କପି ନକଲେ ଫେଲ୍‌ ହେବା ନିଶ୍ଚିତ ଏଣୁ ପରୀକ୍ଷା ଦେଇ ଲାଭ କଣ ? ଏହା ଭାବି ପ୍ରାୟ ୧୦ ଲକ୍ଷ ପରୀକ୍ଷାର୍ଥୀ ପରୀକ୍ଷା ଛାଡିସାରିଲେଣି ।

ଏବର୍ଷ ଉତ୍ତରପ୍ରଦେଶର ୧୦ମ ଓ ୧୨ଶ ବୋର୍ଡ ପରୀକ୍ଷାରେ ପ୍ରାୟ ୬୬ ଲକ୍ଷ ପରୀକ୍ଷାର୍ଥୀ ପଂଜୀକରଣ କରିଥିଲେ । ଗତ ୬ ତାରିଖରୁ ଏହି ବୋର୍ଡ ପରୀକ୍ଷା ଆରମ୍ଭ ହୋଇଥିବାବେଳେ ଆସନ୍ତା ୨୨ ତାରିଖରେ ସରିବ । ମାତ୍ର ୪ଦିନ ମଧ୍ୟରେ ୧୦ ଲକ୍ଷ ପିଲା ପରୀକ୍ଷା ଅଧାରୁ ଛାଡ଼ିଦେଇଛନ୍ତି । ଆଗକୁ ଆହୁରି ଅନେକ ଦିନ ଥିବାରୁ ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ୧୦ମ ପରୀକ୍ଷା ଆସନ୍ତା ୨୨ ତାରିଖରେ ସମାପ୍ତ ହେବାକୁ ଥିବାବେଳେ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୨ରେ ସରିବ । ଏତେ ପିଲା ଅଧାରୁ ପରୀକ୍ଷା ଛାଡିବା ଉତ୍ତରପ୍ରଦେଶ ଇତିହାସରେ ପ୍ରଥମ । ୧୯୯୨-୯୩ରେ ରାଜନାଥ ସିଂ ୟୁପିର ଶିକ୍ଷାମନ୍ତ୍ରୀ ଥିବାବେଳେ କପି ନିରୋଧୀ ଅଧ୍ୟାଦେଶ ଆଣିଥିଲେ । ସେବର୍ଷ ପ୍ରାୟ ୧.୩ ଲକ୍ଷ ୧୦ମ ଓ ୧.୬ ଲକ୍ଷ ୧୨ଶ ପରୀକ୍ଷା ଛାଡ଼ିଥିଲେ ।

ସମ୍ବନ୍ଧିତ ଖବର