ମହାବିଦ୍ରୋହ ପଛରେ ୧୦ନଂ କୋର୍ଟ!

ଗୁରୁତ୍ୱପୂର୍ଣ୍ଣ ମାମଲା ପଡୁଥିଲା ଅରୁଣ ମିଶ୍ରଙ୍କ କୋର୍ଟରେ

0 387

ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କ ବିଷୟରେ..

ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଥିବା ସ୍ୱର୍ଗତ ଜଷ୍ଟିସ ହରଗୋବିନ୍ଦ ମିଶ୍ରଙ୍କ ଔରସରୁ ୧୯୫୫ ସେପ୍ଟେମ୍ବର ୩ରେ ଜନ୍ମିତ ଅରୁଣ ମିଶ୍ର ବିଜ୍ଞାନରେ ସ୍ନାତକୋତ୍ତର ସାରିବା ପରେ ଆଇନରେ ସ୍ନାତକ କରିଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟରେ ୧୯୭୮ରୁ ୧୯୯୯ ଯାଏ ଆଇନ ବ୍ୟବସାୟ କରିଥିବା ଶ୍ରୀ ମିଶ୍ର ୧୯୯୯ ଅକ୍ଟୋବର ୨୫ରେ ସେଠାରେ ଆଡିସିନାଲ୍‌ ଜଜ୍‌ ଭାବେ ନିଯୁକ୍ତ ପାଇ ଦୁଇ ବର୍ଷ ପରେ ସ୍ଥାୟୀ ବିଚାରପତି ଭାବେ ଉନ୍ନୀତ ହୋଇଥିଲେ। ୨୦୧୦ରେ ରାଜସ୍ଥାନ ହାଇକୋର୍ଟକୁ ବଦଳି ହେବା ପରେ ଅକ୍ଟୋବର ୨୬ରେସେ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୧୨ ଡିସେମ୍ବର ୧୪ରେ ଜଷ୍ଟିସ ମିଶ୍ର କୋଲକାତା ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ସେଠାରୁ ଆସି ୨୦୧୪ ଜୁଲାଇରେ ସୁପ୍ରିମକୋର୍ଟର ଅନ୍ୟତମ ବିଚାରପତି ଭାବେ ଦାୟିତ୍ୱ ନେଇଥିଲେ।

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ମାମଲା ପରିଚାଳନାକୁ ନେଇ ଶୁକ୍ରବାର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାବିଦ୍ରୋହ ଘୋଷଣା କରିଥିବା ୪ ଜଣ ବରିଷ୍ଠ ବିଚାରପତିଙ୍କ ଅସନ୍ତୋଷର କାରଣ ଅବଶ୍ୟ ଜଣାପଡ଼ିଛି। ଜଷ୍ଟିସ୍‌ ଜଷ୍ଟି ଚେଲମେଶ୍ୱର, ଜଷ୍ଟିସ୍‌ ରଞ୍ଜନ ଗୋଗୋଇ, ଜଷ୍ଟିସ୍‌ ମଦନ ଭୀମରାଓ ଲୋକୁର ଏବଂ ଜଷ୍ଟିସ୍‌ କୋରିଅନ୍‌ ଜୋସେଫ୍‌ ପ୍ରମୁଖ ସର୍ବସାଧାରଣରେ ଗଣମାଧ୍ୟମ ଡାକି ଏପରି ପ୍ରଧାନ ବିଚାରପତିଙ୍କ ମାମଲା ପରିଚାଳନା ବିରୋଧରେ ବିଷୋଦ୍‌ଗାର କରିବାଟା ସ୍ପୃହଣୀୟ ନୁହେଁ ବୋଲି ସେମାନେ ନିଜେ ମଧ୍ୟ ସ୍ୱୀକାର କରିଛନ୍ତି। ତେବେ ଗଣତନ୍ତ୍ର ହରାଇ ବସୁଥିବା ସର୍ବୋଚ୍ଚ ଅଦାଲତର ନ୍ୟାୟିକ ବ୍ୟବସ୍ଥାରେ ସୁଧାର ଆଣିବା ଦିଗରେ ଏହା ଛଡ଼ା ଅନ୍ୟ ଉପାୟ ନଥିଲା ବୋଲି ସେମାନେ କହିଛନ୍ତି। ଅପରପକ୍ଷେ, ସେମାନଙ୍କ ଠାରୁ କନିଷ୍ଠ ହୋଇ ସୁଦ୍ଧା ଅଧିକ ପସନ୍ଦଯୋଗ୍ୟ ସାଜିଥିବା ୧୦ ନଂ କୋର୍ଟ ହିଁ ଏଭଳି ପୁଞ୍ଜିଭୂତ ଅଶାନ୍ତିର ପ୍ରମୁଖ କାରଣ ବୋଲି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଉଲ୍ଲେଖ ଥାଉ କି, ସର୍ବୋଚ୍ଚ ଅଦାଲତରେ ବିଭିନ୍ନ ମାମଲାଗୁଡ଼ିକର ଆବଣ୍ଟନ ପାଇଁ ରହିଥିବା ବିଧି ବ୍ୟବସ୍ଥା ଅନୁଯାୟୀ, ସବୁଠୁ ଅଧିକ ଗୁରୁତ୍ୱ ବହନ କରୁଥିବା ମାମଲାର ବିଚାର ହିଁ ପ୍ରଧାନ ବିଚାରପତି କରିଥାନ୍ତି। ତାହା ପଛକୁ ଅପେକ୍ଷାକୃତ କମ୍‌ ଗୁରୁତ୍ୱପୂର୍ଣ୍ଣ ମାମଲାର ବିଚାରଣା ପାଇଁ ପ୍ରଧାନ ବିଚାରପତିଙ୍କ ପଛକୁ ରହିଥିବା ବରିଷ୍ଠ ବିଚାରପତିଙ୍କୁ ଚୟନ କରାଯାଇଥାଏ। ସୁପ୍ରିମକୋର୍ଟର ବିଚାରପତିଙ୍କ ସଂଖ୍ୟା ୩୧ ଥିବା ବେଳେ ସମ୍ପ୍ରତି ୬ଟି ପଦବି ଖାଲି ରହିଛି। ତେବେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ତାହାକୁ ବରିଷ୍ଠତା ଭିତ୍ତିରେ ବିଭିନ୍ନ କୋର୍ଟ ବା ଖଣ୍ଡପୀଠରେ ପକାଯାଇଥାଏ। ସବୁଠୁ ଶୀର୍ଷ ଖଣ୍ଡପୀଠର ନେତୃତ୍ୱ ପ୍ରଧାନ ବିଚାରପତି ନେଇଥିବା ବେଳେ ତାଙ୍କ ପଛକୁ ପଛ ଅନ୍ୟ ଖଣ୍ଡପୀଠଗୁଡ଼ିକ କାମ କରିଥାଏ। ଗତ ୫ରୁ ୬ ବର୍ଷ ଭିତରେ ୧ ନଂ କୋର୍ଟ ବା ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ କୋର୍ଟ ପ୍ରମୁଖ ସମ୍ବେଦନଶୀଳ ମାମଲାଗୁଡ଼ିକର ବିଚାର କରି ଆସିଥିବା ଦେଖାଯାଇଛି। ଅଳ୍ପ କିଛି ଗୁରୁତ୍ୱପୂର୍ଣ ମାମଲା ଅନ୍ୟ ଖଣ୍ଡପୀଠ ଭାଗରେ ପଡ଼ିଛି। ତେବେ ଏହି ବିଦ୍ରୋହୀ ବରିଷ୍ଠ ବିଚାରପତିମାନଙ୍କର କ୍ଷୋଭ ହେଲା, ସେମାନଙ୍କୁ ଆଡ଼ କରି ପ୍ରଧାନ ବିଚାରପତି କିଛି ଗୁରୁତ୍ୱପୂର୍ଣ୍ଣ ମାମଲାକୁ ୧୦ ନଂ କୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଦ୍ୱାରା ବିଚାରଣା କରାଇବା। ସଦ୍ୟତମ ଉଦାହରଣ ସ୍ୱରୂପ, ସିବିଆଇ ଜଜ୍‌ ବି ଏମ୍‌ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ଦାଏର ଜନସ୍ୱାର୍ଥର୍ ମାମଲାର ବିଚାର ଅନ୍ୟ କୌଣସି ବରିଷ୍ଠ ବିଚାରପତିଙ୍କ ଖଣ୍ଡପୀଠକୁ ଦିଆ ନଯାଇ ଗତ ବୁଧବାର ତାହାକୁ ୧୦ ନଂ କୋର୍ଟକୁ ଦିଆଯାଇଛି। ଏହା ବାଦ୍‌ ଆହୁରି ଅନେକ ମାମଲାର ବିଚାର ପାଇଁ ମଧ୍ୟ କନିଷ୍ଠ ଜଷ୍ଟିସ ଅରୁଣ ମିଶ୍ରଙ୍କୁ ପ୍ରଧାନ ବିଚାରପତି ଅହେତୁକ ଭାବେ ପସନ୍ଦ କରିବା ଅନ୍ୟମାନଙ୍କୁ ବିବ୍ରତ କରିଛି।

Panda Mobile only

ସେହିପରି ମେଡିକାଲ୍‌ କଲେଜରେ ନାମଲେଖା ଦୁର୍ନୀତି ମାମଲାରେ ଜଷ୍ଟିସ ଚେଲମେଶ୍ୱରଙ୍କ ରାୟକୁ ଏକ ପାଞ୍ଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଖାରଜ କରିଦେବା ପରେ ତାହାକୁ ପ୍ରଧାନ ବିଚାରପତି ଏକ ତିନିଜଣିଆ ଖଣ୍ଡପୀଠକୁ ପଠାଇଦେଇଥିଲେ। ଉଭୟ ପାଞ୍ଚଜଣିଆ ଓ ତିନିଜଣିଆ ଖଣ୍ଡପୀଠରେ ହିଁ ଅରୁଣ ମିଶ୍ର ସଦସ୍ୟ ରହିଥିଲେ। ବହୁ ଚର୍ଚ୍ଚିତ ସାହାରା-ବିର୍ଲା ଡାଏରି ମାମଲାର ଶୁଣାଣି ମଧ୍ୟ ଅରୁଣ ମିଶ୍ର ଏବଂ ଅମିତାଭ ରାୟ କରିଥିଲେ। ଏପରିକି ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ ବେଆଇନ ଭାବେ ଠୁଳ କରିଥିବା ସମ୍ପତ୍ତିକୁ ବେଦଖଲ କରିବା ମାମଲା(ଏୟାରସେଲ୍‌-ମାକ୍ସିସ୍‌ ଡିଲ୍‌)ର ଶୁଣାଣି ମଧ୍ୟ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ କରିବେ ବୋଲି ଗତ ସପ୍ତାହରେ ପ୍ରଧାନ ବିଚାରପତି ଦୀପକ ମିଶ୍ର ଘୋଷଣା କରିଛନ୍ତି। ସୁତରାଂ ଅନ୍ୟ ବିଚାରପତିମାନଙ୍କୁ ଅଣଦେଖା କରି ଜଷ୍ଟିସ ଅରୁଣ ମିଶ୍ରଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏପରି ପ୍ରାଧାନ୍ୟ ଦେବା ହିଁ ଏହି ମଦାବିଦ୍ରୋହର ସୂତ୍ରପାତ ବୋଲି ବିଭିନ୍ନ ମହଲରେ ରୋଚକ ଚର୍ଚ୍ଚା ହେଉଛି।

ସୁପ୍ରିମ୍‌ କୋର୍ଟରେ କିଭଳି ହୁଏ କେସ୍‌ ଆବଣ୍ଟନ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟର ୪ ଜଣ ବରିଷ୍ଠତମ ବିଚାରପତି ଶ୍‌ୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନ ବିଚାରପତିଙ୍କ ବିରୋଧରେ କେସ୍‌ ଆବଣ୍ଟନ ସଂକ୍ରାନ୍ତ ଅଭିଯୋଗ ଆଣିଥିଲେ। ସେମାନେ କହିଥିଲେ ପ୍ରଧାନ ବିଚାରପତି କେବଳ ନିଜସ୍ୱ ନିଷ୍ପତ୍ତି ବଳରେ କେସ୍‌ ଆବଣ୍ଟନ କରୁଛନ୍ତି ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା କନିଷ୍ଠ ବିଚାରପତିଙ୍କୁ ନ୍ୟସ୍ତ କରୁଛନ୍ତି। ଏ ସଂକ୍ରାନ୍ତରେ ସେମାନେ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ପତ୍ର ମଧ୍ୟ ଗଣମାଧ୍ୟମକୁ ପ୍ରଦାନ କରିଥିଲେ। ତେବେ ଦେଶର ସୁପ୍ରିମ୍‌ କୋର୍ଟରେ ବିଭିନ୍ନ ମାମଲାର ଆବଣ୍ଟନ କିଭଳି ହୋଇଥାଏ ସେ ନେଇ ଏବେ ସାଧାରଣରେ ମଧ୍ୟ ଉତ୍ସୁକତା ଦେଖିବାକୁ ମିଳିଛି। ସୁପ୍ରିମ୍‌ କୋର୍ଟରେ ସ୍ୱାଭାବିକ ଭାବେ ୧୨ଟି ଅଦାଲତ କାର୍ଯ୍ୟ କରିଥାଏ ଏବଂ ବିଚାରପତିଙ୍କ ସଂଖ୍ୟା ହେଉଛି ୩୧। ତେବେ ଏହି ୩୧ ବିଚାରପତି ପଦବିରୁ ୬ଟି ଖାଲି ପଡ଼ିଛି । ପ୍ରଥମ ଅଦାଲତରେ ପ୍ରଧାନ ବିଚାରପତି ରହୁଥିବା ବେଳେ ଦ୍ୱିତୀୟରେ ଜେ.ଚେଲମେଶ୍ୱର ଦାୟିତ୍ୱ ନିର୍ବାହ କରନ୍ତି। ଏଭଳି ପ୍ରକ୍ରିୟାରେ ଅନ୍ୟ ଅଦାଲତରେ ମଧ୍ୟ ବରିଷ୍ଠତା ଭିତ୍ତିରେ ବିଚାରପତିଙ୍କୁ ଦାୟିତ୍ୱ ଦିଆଯାଇଥାଏ। କୋର୍ଟ ନମ୍ବର ଅନୁଯାୟୀ ବିଚାରପତିଙ୍କ ବରିଷ୍ଠତା ସଂପର୍କରେ ଜଣାପଡ଼ିଥାଏ। ସମ୍ବେଦନଶୀଳ ମାମଲାଗୁଡ଼ିକର ଶୁଣାଣି ବରିଷ୍ଠତମ ବିଚାରପତିଙ୍କୁ ଦିଆଯାଇଥାଏ। ବିଗତ ୫/୬ ବର୍ଷ ମଧ୍ୟରେ କୋର୍ଟ ନଂ-୧ ଯାହାକି ପ୍ରଧାନ ବିଚାରପତିଙ୍କ ଅଦାଲତ, ସେଠାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ମାମଲାର ଶୁଣାଣି ହୋଇଆସୁଛି। ଅନ୍ୟ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ବିଚାରପତିଙ୍କ ବରିଷ୍ଠତା ଭିତ୍ତିରେ ଆବଣ୍ଟନ ହୋଇଥାଏ।

କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ମୁହଁ ଖୋଲନ୍ତୁ: ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କୁ ବିଜେପିର ବରିଷ୍ଠ ନେତା ଯଶଓ୍ଵନ୍ତ ସିହ୍ନା ପୁଣି ଅଡ଼ୁଆରେ ପକାଇଛନ୍ତି। ସୁପ୍ରିମ୍‌ କୋର୍ଟ ପ୍ରଧାନବିଚାରପତିଙ୍କ କେତେକ ନିଷ୍ପତ୍ତିର ପ୍ରତିବାଦ କରି ବିଚାରପତିମାନେ ଯେଭଳି ସର୍ବସାଧାରଣରେ ସବୁକଥା ସ୍ପଷ୍ଟ କରିଛନ୍ତି ସେଭଳି ପଦକ୍ଷେପ ମୋଦି ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀମାନେ ନିଅନ୍ତୁ ବୋଲି କହି ସିହ୍ନା ନୂଆ ବିବାଦ ସୃଷ୍ଟି କରିଛନ୍ତି। ସୁପ୍ରିମ୍‌ କୋର୍ଟର ୪ ଜଣ ବିଚାରପତି ଦେଶର ଗଣତନ୍ତ୍ର ବିପଦରେ ଅଛି ବୋଲି କହିଛନ୍ତି ଏବଂ ଏହି ବିପଦ ଜଳଜଳ ହୋଇ ଦିଶୁଛି ବୋଲି ସେ କହିଛନ୍ତି। ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକର କହିବାର ଅଧିକାର ଅଛି ଏବଂ ବିଜେପି ନେତା ଓ ସରକାରର ମନ୍ତ୍ରୀମାନେ ମଧ୍ୟ ସେମାନଙ୍କ ସମସ୍ୟା ଖୋଲାଖୋଲି କହିବା ଆବଶ୍ୟକ ବୋଲି ସେ କହିଛନ୍ତି। ବିଜେପି ନେତୃତ୍ୱାଧୀନ ପ୍ରଥମ ଏନ୍‌୍‌ଡିଏ ସରକାରରେ ଅର୍ଥ ଓ ବିଦେଶ ମନ୍ତ୍ରୀ ରହିଥିବା ଥିବା ସିହ୍ନା କହିଛନ୍ତି ସୁପ୍ରିମ୍‌ କୋର୍ଟରେ ଏବେ ଯେଉଁ ସମସ୍ୟା ଦେଖାଦେଇଛି ତାହା କୌଣସି ଆଭ୍ୟନ୍ତରୀଣ ସମସ୍ୟା ହୋଇ ଆଉ ରହିନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.