ଉଚ୍ଚବର୍ଗର ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଗତକାଲି ସଂସଦରେ ପାଶ ହୋଇଥିବା ଉଚ୍ଚବର୍ଗର ଆର୍ଥିକ ପଛୁଆ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ମାମଲା ଆଗତ ହୋଇଛି । ୟୁଥ ଫର ଇକ୍ୱାଲିଟି ନାମକ ଏନଜିଓ ଓ କୌଶଲ କାନ୍ତ ମିଶ୍ର ନାମକ ବ୍ୟକ୍ତି ଏହି ପିଟିସନ ଦାଏର କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ସମ୍ବିଧାନର ମୌଳିକ ବ୍ୟବସ୍ଥାର ଉଲ୍ଲଙ୍ଘନ କରୁଛି । ଏହି ବିଲ ୫୦ ପ୍ରତିଶତ ସର୍ବୋଚ୍ଚ ସଂରକ୍ଷଣ ସୀମାର ଉଲ୍ଲଙ୍ଘନ କରୁଛି । ପୁଣି ଅର୍ଥନୈତିକ ଅନଗ୍ରସରତା ଏକ ସଂରକ୍ଷଣ ପାଇଁ ମାନଦଣ୍ଡ ହୋଇନପାରେ ବୋଲି ଏହି ପିଟିସନରେ ଦର୍ଶାଯାଇଛି ।

। ଗତକାଲି ରାଜ୍ୟ ସଭାରେ ଓ ମଙ୍ଗଳବାରଦିନ ଲୋକସଭାରେ ଚାକିରି ଓ ଶିକ୍ଷା କ୍ଷେତ୍ରରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ପାଶ ହୋଇଥିଲା । ଏହାକୁ ସମ୍ବିଧାନର ୧୨୪ ତମ ସଂଶୋଧନ ବିଲ କୁହାଯାଉଛି । ଏହା ପୂର୍ବରୁ ବିଲକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳଙ୍କ ଦାବି ଖାରଜ ହୋଇଯାଇଥିଲା । ସଂସଦର ଦୁଇ ସଦନରେ ପାଶ ହେବା ପରେ ଏହାକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ ।

ସମ୍ବନ୍ଧିତ ଖବର