ଫିଲିପାଇନ୍‌ସ ବନ୍ୟାରେ ୧୦୦ ମୃତ

ମାନିଲା: ଦକ୍ଷିଣ ଫିଲିପାଇନ୍‌ସର ମୁଖ୍ୟ ଦ୍ୱୀପ ମିଣ୍ଡାନାଓରେ ଝଡ଼ତୋଫାନ ସାଙ୍ଗକୁ ଭୀଷଣ ବର୍ଷା ହେବା ଫଳରେ ବନ୍ୟା କାଦୁଅରେ ପୋତିହୋଇ ଅତି କମ୍‌ରେ ଶହେ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦୦ରୁ ଅଧିକ ମଧ୍ୟ ନିଖୋଜ ଥିବା ସରକାରୀ ସୂତ୍ରରୁ ଜଣାଯାଇଛି। ଅବିଶ୍ରାନ୍ତ ବନ୍ୟା ଯୋଗୁଁ ଶୁକ୍ରବାର ବିଳମ୍ବିତ ରାତିରେ ଛୋଟ ଛୋଟ ନଦୀମାନଙ୍କରେ ଆସିଥିବା ବ୍ୟାପକ ବନ୍ୟାସ୍ରୋତ ବହୁ ସଂଖ୍ୟାରେ କୂଳବାସୀଙ୍କୁ ସମୁଦ୍ରକୁ ତଡ଼ିନେଇଥିଲା। କେହି କେହି ଭୀଷଣ କାଦୁଅରେ ପୋତିହୋଇଯାଇଥଛିଲେ ତ କେହି କେହି କରାଳ ସୁଅମୁହଁରୁ ନିଜକୁ ମୁକୁଳାଇପାରିନଥିଲେ। ଅପରପକ୍ଷେ, ତୁରନ୍ତ କୂଳ ଛାଡ଼ିବା ପାଇଁ ସ୍ଥାନୀୟ ପ୍ରଶାସନ ଜାରି କରିଥିବା ସତର୍କତାକୁ ଲୋକେ ମାନିନଥିବାରୁ ଏଭଳି ଅଘଟଣ ହୋଇଛି ବୋଲି କୁହାଯାଉଛି। ସୂଚନା ଥାଉ କି ପ୍ରତିବର୍ଷ ଫିଲିପାଇନ୍‌ସ ୨୦ରୁ ଅଧିକ ଝଡ଼ତୋଫାନକୁ ସାମନା କରୁଥିବା ବେଳେ ହଜାର ହଜାର ଦୁର୍ବଳ ଶ୍ରେଣୀ ଲୋକଙ୍କ ଜୀବନହାନି ଘଟୁଛି। ଗତ ସପ୍ତାହରେ ମଧ୍ୟ କେନ୍ଦ୍ରୀୟ ଫିଲିପାଇନ୍‌ସରେ ଦେଖାଦେଇଥିବା ଝଡ଼ରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର