ପ୍ରଥମ ୬ ମାସରେ ୧୦୦ ଆତଙ୍କବାଦୀଙ୍କୁ ନିପାତ କରିଛି ଭାରତୀୟ ସେନା

ନୂଆଦିଲ୍ଲୀ : କାଶ୍ମୀରରେ ରକ୍ତମୁଖା ହୋଇ ଉଠିଛି ଭାରତୀୟ ସେନା । ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ଏକ ଭୟଙ୍କର ଅଭିଯାନ ଗତ ଦୁଇ ବର୍ଷ ହେଲା ଚାଲିଛି । କିନ୍ତୁ ଏବର୍ଷ ଆରମ୍ଭରୁ ଯେତିକି ଆତଙ୍କବାଦୀ ମଲେଣି, ମନେହେଉଛି ଏବର୍ଷ ରେକର୍ଡ ଭାଙ୍ଗିବ ସେନା । ମିଳିଥିବା ସୂଚନା ଅନୁସାରେ ଏ ବର୍ଷର ପ୍ରଥମ ୬ ମାସରେ କାଶ୍ମୀରରେ ୧୦୦ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି ସେନା । କିନ୍ତୁ ଏହା ସହିତ ତାଙ୍କବାଦୀ ଆକ୍ରମଣରେ ୪୩ ସୁରକ୍ଷା ବାହିନୀ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଏସବୁ ଆତଙ୍କବାଦୀଙ୍କ ମଧ୍ୟରେ ଅଛନ୍ତି ହିଜବୁଲ ମୁଜାହିଦ୍ଦିନର ସମୀର ଟାଇଗର,ପାକିସ୍ତାନରୁ ଆସିଥିବା ଜୈଶ-ଇ-ମୁହମ୍ମଦର ଆତଙ୍କବାଦୀ ମୁଫତି ଓ୍ଵାକାସ ଓ ଲସ୍କର-ଇ-ତୋଇବାର ଅବୁ ହମାସ । ସେନାର ଏହି ସଫଳତା ପଛରେ ସରକାରଙ୍କ ବି ହାତ ରହିଛି । ଆତଙ୍କବାଦୀ ନିପାତ ପାଇଁ ସେନାର ହାତ ଖୋଲା କ୍ଷମତା ଦିଆଯାଇଛି । ଏପରିକି ଅପରେସନ ବେଳେ ପଥରମାଡ କରୁଥିବା ଲୋକମାନଙ୍କୁ ବି ସେନା ଆତଙ୍କବାଦି ହିସାବରେ ଗଣି ତାଙ୍କ ଉପରକୁ ଗୁଳି ଚଳାଉଛି । ସେନା ମୁଖ୍ୟ ବିପିନ ରାଓ୍ଵତଙ୍କ ମତରେ ସେନା ଅପରେସନରେ ବାଧା ସୃଷ୍ଟି କରୁଥିବା ଲୋକଙ୍କୁ ଆତଙ୍କବାଦୀ ଭାବେ ଗଣାଯାଉଛି । ସେ ନିଜେ ସୁରକ୍ଷା ସ୍ଥିତିର ନିୟମିତ ସମୀକ୍ଷା କରୁଛନ୍ତି । ୨୦୧୭ରେ କାଶ୍ମୀରରେ ଆତଙ୍କବାଦୀ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିଲା । ୨୦୧୦ ପରେ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୨୦୦ ଟପିଥିଲା । ୨୦୧୦ରେ ମୋଟ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହା ପରେ ଏହି ସଂଖ୍ୟା କମିଚାଲିଥିଲା । ୨୦୧୬ରେ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ।

ସମ୍ବନ୍ଧିତ ଖବର