ଶ୍ରୀହରିକୋଟା: ଗତ ଅଗଷ୍ଟ ମାସର ବିଫଳତାରେ ନିରବ ରହିଥିବା ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ପାଖାପାଖି ସାଢ଼ ଚାରି ମାସ ପରେ ଆଜି ତାହାର ପୂର୍ବ ସଫଳତା ବଜାୟ ରଖିଛି। ଅବଗଣନା ମୁତାବକ ଶୁକ୍ରବାର ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଉତ୍କ୍ଷେମଣ କେନ୍ଦ୍ରରୁ ଇସ୍ରୋ ନିଜର ଶକ୍ତିଶାଳୀ ପୋଲାର ସାଟେଲାଇଟ୍ ଲଞ୍ଚ୍ ଭେହିକଲ୍(ପିଏସ୍ଏଲ୍ଭି) ମାଧ୍ୟମରେ ଏହାର ଶହେତମ ଉପଗ୍ରହ ପୃଥିବୀ ନିରୀକ୍ଷଣକାରୀ ‘କାର୍ଟୋସାଟ୍ ୨’ ସିରିଜ୍ ସହିତ ଅନ୍ୟ ୩୦ଟି କ୍ଷୁଦ୍ର ଉପଗ୍ରହକୁ ସଫଳତାର ସହ ସେମାନଙ୍କ କକ୍ଷପଥରେ ସ୍ଥାନିତ କରିଛି। ଅପରପକ୍ଷେ, ଭାରତର ଏହି ସଫଳ ଉତ୍କ୍ଷେପଣ ପରେ ପାକିସ୍ତାନ ନିଜର ପ୍ରତିବାଦ ଜଣାଇଛି। ‘କାର୍ଟୋସାଟ୍ ୨’ ସିରିଜ୍ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସହଯୋଗ କରିବାର କ୍ଷମତା ରଖିଥିବାରୁ ତାହା ପଡ଼ୋଶୀ ରାଷ୍ଟ୍ର ମଧ୍ୟରେ ଶାନ୍ତିପୂର୍ଣ୍ଣ ସହାବସ୍ଥାନରେ ପ୍ରତିବନ୍ଧକର ସାଜିବ ବୋଲି ପାକିସ୍ତାନ ଆଶଙ୍କା ପ୍ରକଟ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଇସ୍ରୋ ଏହାର ୪୨ତମ ଅଭିଯାନରେ ପିଏସ୍ଏଲ୍ଭି-ସି୪୦ ରକେଟ୍ ମାଧ୍ୟମରେ ଆଜି ‘କାର୍ଟୋସାଟ୍ ୨’ ସିରିଜ୍ ସମେତ ମୋଟ ୩୧ଟି ଉପଗ୍ରହକୁ ସେମାନଙ୍କ କକ୍ଷପଥରେ ଛାଡ଼ିଛି। ସକାଳ ଠିକ୍ ୯ଟା ୨୯ରେ ଭୂପୃଷ୍ଠରୁ ପିଏସ୍ଏଲ୍ଭି ରକେଟ୍ ଉତ୍କ୍ଷେପିତ ହେବାର ୧୭ ମିନିଟ୍ ପରେ ପ୍ରଥମେ ସେଥିରେ ଖଞ୍ଜାଯାଇଥିବା ନିଜର ୭୧୦ କେଜି ଓଜନ ବିଶିଷ୍ଟ ‘କାର୍ଟୋସାଟ୍ ୨’ ଉପଗ୍ରହକୁ ଭୂପୃଷ୍ଠରୁ ୫୧୯ କିମି ଦୂର ଏକ ସୌରକୈନ୍ଦ୍ରିକ କକ୍ଷପଥରେ ସ୍ଥାନିତ କରାଯାଇଥିଲା। ପରେ ପରେ ଅନ୍ୟ ଉପଗ୍ରହଗୁଡ଼ିକୁ ମଧ୍ୟ ସେମାନଙ୍କ ନିର୍ଦ୍ଦିଷ୍ଟ କକ୍ଷରେ ଛଡ଼ାଯାଇଥିଲା। ସେଗୁଡ଼ିକ ମଧ୍ୟରେ ଭାରତର ଗୋଟିଏ କ୍ଷୁଦ୍ର ଓ ଗୋଟିଏ ଅତିକ୍ଷୁଦ୍ର ଉପଗ୍ରହ ସହିତ କାନାଡ଼ା, ଫିନ୍ଲ୍ୟାଣ୍ଡ୍, ଫ୍ରାନ୍ସ, ଦକ୍ଷିଣ କୋରିଆ ଓ ଯୁକ୍ତରାଜ୍ୟର ମଧ୍ୟ ୩ଟି କ୍ଷୁଦ୍ର ଓ ୨୫ଟି ଅତିକ୍ଷୁଦ୍ର କୃତ୍ରିମ ଉପଗ୍ରହ ରହିଛନ୍ତି। ଏଥି ସହିତ ଆଜିର ଉତ୍କ୍ଷେପଣରେ ବହୁସ୍ତରୀୟ ଇନ୍ଧନ ଦହନ ଜ୍ଞାନକୌଶଳର ମଧ୍ୟ ପରୀକ୍ଷଣ ସଫଳ ହୋଇଛି। ତେବେ ଆଜିକୁ ମିଶାଇ ଇସ୍ରୋ ତାହାର ୪୦ତମ ସଫଳ ପିଏସ୍ଏଲ୍ଭି ଉତ୍କ୍ଷେପଣ କରିପାରିଥିବା ବେଳେ ପୂର୍ବରୁ ତିନି ଥର ବହୁସ୍ତରୀୟ ଇନ୍ଧନ ଦହନ ଜ୍ଞାନକୌଶଳର ପରୀକ୍ଷା ସଫଳ ସାବ୍ୟସ୍ତ ହୋଇଛି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଆର୍ ହଟ୍ଟନ କହିଛନ୍ତି।