ଦୁର୍ନୀତିଖୋର୍‌ ୧୧ ଅଧିକାରୀ ଗିରଫ

ଜିଏସ୍‌ଟି ଲାଗୁକୁ ସାତ ମାସ

ନୂଆଦିଲ୍ଲୀ: ଦେଶରେ ଦ୍ରବ୍ୟ ଓ ସେବା କର(ଜିଏସ୍‌ଟି) ଲାଗୁ ହେବାର ମାତ୍ର ୭ ମାସ ବିତିଛି, କିନ୍ତୁ ଦୁର୍ନୀତି ଅଭିଯୋଗରେ ୩ ଜଣ ବରିଷ୍ଠ ଅଧିକାରୀଙ୍କ ସମେତ ୧୧ଜଣଙ୍କୁ ସିବିଆଇ ଏହା ମଧ୍ୟରେ ଗିରଫ କରିସାରିଛି। ୨୦୧୭ ଅଗଷ୍ଟ ମାସରେ ପ୍ରଥମ ଗିରଫଦାରି ହୋଇଥିବା ବେଳେ ଆଜି ତୃତୀୟ ଘଟଣାକ୍ରମେ କାନପୁରର ଜିଏସ୍‌ଟି ଓ ଉତ୍ପାଦ ଶୁଳ୍କ ବିଭାଗ କମିସନରଙ୍କ ସମେତ ୩ଜଣ ନିରୀକ୍ଷକଙ୍କୁ ସିବିଆଇ ଗରିଫ କରିଛି। ସିବିଆଇ ସୂଚନାନୁସାରେ, ୧୯୮୬ ବ୍ୟାଚର ଆଇଆର୍‌ଏସ୍‌ ଅଫିସର ସଂସାର ଚାନ୍ଦ, ନିରୀକ୍ଷକ ଅଜୟ ଶ୍ରୀବାସ୍ତବ, ଅମନ ଶାହା, ରାଜୀବ ସିଂହ ଚାଣ୍ଡେଲ୍‌, କର୍ମଚାରୀ ସୌରଭ ପାଣ୍ଡେଙ୍କ ସହିତତ ଅନ୍ୟ ତିନିଜଣ କର୍ମଚାରୀ କେତେକ ଶିଳ୍ପାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନଠାରୁ ସେମାନଙ୍କ ବେଆଇନ କାରବାରକୁ ଘଣ୍ଟଘୋଡ଼ାଇବା ପାଇଁ ନିୟମିତ ଭାବେ ଲାଞ୍ଚ ନେଉଥିଲେ। ଏହି ବାବଦ ଅର୍ଥ ସମ୍ପୃକ୍ତ ଅଧିକାରୀମାନେ ବାର୍ଷିକ, ମାସିକ ହିସାବରେ ନେଉଥିଲେ। ଅଶ୍ୱସ୍ଥି ନାମକ ଜଣେ ଦଲାଲ୍‌ ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅଧିକାରୀଙ୍କ ମଧ୍ୟରେ ଯୋଗସୂତ୍ର ରକ୍ଷା କରୁଥିଲ। ଏହି ଟଙ୍କାକୁ ଅଧିକାରୀମାନେ ଦିଲ୍ଲୀର ଅମନ ଜୈନ ଦ୍ୱାରା ହାଓ୍ଵାଲା ମାଧ୍ୟମରେ କିମ୍ବା ଟିଭି, ଫ୍ରିଜ୍‌ ଓ ଅନ୍ୟ ଦାମୀ ଜିନିଷ ଆକାରରେ ଚାଲାଣ କରୁଥିଲେ। ସେହିଭଳି, ସିବିଆଇ ଅଧିକାରୀଙ୍କ ବିରୋଧରେ ଧମକ ଦେଇ ଟଙ୍କା ଅସୁଲ ଅଭିଯୋଗ କରିଥିବା ଦକ୍ଷିଣ ମୁମ୍ବାଇର ଜିଏସ୍‌ଟି ନିରୀକ୍ଷକ ଶ୍ରଧାନନ୍ଦ ସ୍ୱାମୀନାଥନ ଜଣେ ବେପାରୀ ଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଦ୍ୱାରା ଧରାପଡ଼ିଛନ୍ତି।

ପ୍ରଥମ ଘଟଣା କ୍ରମେ ୨୦୧୭ ଅଗଷ୍ଟରେ ଜିଏସ୍‌ଟି କାଉନ୍‌ସିଲର ନିରୀକ୍ଷକ ମନିଷ ମାଲହୋତ୍ରା ଓ ପ୍ରାଇଭେଟ୍‌ ଟ୍ୟାକ୍ସ କନ୍‌ସଲଷ୍ଟାଣ୍ଟ ମାନସ ପାତ୍ର ଗିରଫ ହୋଇଥିଲେ। ମାନସଙ୍କ ଜରିଆରେ ଅଧିକାରୀ ଜଣକ ବ୍ୟାବସାୟିକ ପ୍ରତିଷ୍ଠାନର ବେଆଇନ କାରବାରକୁ ଲୁଚାଇବା ପାଇଁ ନିୟମିତ ଚାନ୍ଦା ନେଉଥିଲେ। ଏଭଳି କାରବାରରେ ଅନେକ ଅଧିକାରୀ ସମ୍ପୃକ୍ତ ଥିବା ସୂଚନା ରହିଛି ଏବଂ ସେଥି ପ୍ରତି ସତର୍କ ନଜର ରଖାଯାଇଛି ବୋଲି ସିବିଆଇ ପକ୍ଷରୁ ଏକ ପ୍ରେସ୍‌ ବିବୃତିରେ କୁହାଯାଇଛି।

ସମ୍ବନ୍ଧିତ ଖବର