ସିଏଏ ହିଂସା ନେଇ ଦିଲ୍ଲୀରେ ପରିସ୍ଥିତି ସଂଗୀନ, ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ : ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା

ନୂଆଦିଲ୍ଲୀ : ସିଏଏ ସପକ୍ଷ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ କ୍ରମଶଃ ଭୟଙ୍କର ରୂପ ନେଉଛି। ବିଶେଷ କରି ଉତ୍ତର-ପୂର୍ବ ଦିଲ୍ଲୀରେ ଏହି ହିଂସା ଭୀଷଣ ଆକାର ଧାରଣ କରୁଛି । ଏହି ହିଂସାରେ ମୃତ୍ୟୁ ସଂଖ୍ୟା ୧୩ରେ ପହଞ୍ଚିଛି । ଏହା ସହିତ ୧୩୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାଯାଇଛି । ଏହାକୁ ଦୃଷ୍ଟିରେ ରଖି ହିଂସା ପ୍ରଭାବିତ ଅଞ୍ଚଳରେ ପୁଲିସ, ଅର୍ଦ୍ଧସାମରିକ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି । ଏ ଅଞ୍ଚଳରେ ଏକ ମାସ ଲାଗି ୧୪୪ ଧାରା ଜାରି କରାଯାଇଛି ଓ ଆନ୍ଦୋଳନକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି ।

ପୁଲିସ ପରିସ୍ଥିତି ନିୟନ୍ତ୍ରଣାଧୀନ ବୋଲି କହୁଥିବା ବେଳେ  ଦିଲ୍ଲୀର ଚାନ୍ଦବାଗ, ମୌଜପୁର ଇଲାକାରେ ସ୍ଥିତି ଏବେ ବି ଉତ୍ତେଜନାପ୍ରବଣ ରହିଛି । ପରିସ୍ଥିତିକୁ ଦେଖି ଦିଲ୍ଲୀ ସରକାର ଆସନ୍ତାକାଲି ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି । ଏହା ସହିତ ଇଣ୍ଟରନାଲ ପରୀକ୍ଷା ଗୁଡ଼ିକୁ ବାତିଲ କରାଯାଇଛି । ଏହି ହିଂସା ବିରୁଦ୍ଧରେ ଆଗତ ଏକ ମାମଲାର ଶୁଣାଣି ଆସନ୍ତା କାଲି ସୁପ୍ରିମକୋର୍ଟରେ ହେବ । ପୂର୍ବତନ ମୁଖ୍ୟ ସୂଚନା ଅଧିକାରୀ ଓ୍ଵାଜତ ହବିବୁଲ୍ଲାଙ୍କ ଦ୍ୱାରା ଏହି ମାମଲା ଦାଏର କରାଯାଇଛି । ଅନ୍ୟପକ୍ଷରେ ଏହି ହିଂସାର ଏସଆଇଟି ତଦନ୍ତ ଓ ସେନାକୁ ଡାକିବା ପାଇଁ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ଦାଏର ହୋଇଛି । ଅନ୍ୟପକ୍ଷରେ ଏହି ହିଂସା ପଛରେ ଭୀମ ଆର୍ମି ଓ ପିଏଫଆଇର ହାତ ଥିବା ଗୁଇନ୍ଦା ବ୍ୟୁରୋ ସଂଦେହ କରୁଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସୋମବାର ଠାରୁ ମଙ୍ଗଳବାର ଯାଏଁ  ହିଂସାରେ ମୃତ୍ୟୁମୁଖରେ ପଡ଼ିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଏ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ଥିବା ବେଳେ ଅବଶିଷ୍ଟ ୧୨ ଜଣ ସାଧାରଣ ନାଗରିକ ବୋଲି ଜଣାପଡ଼ିଛି। ପ୍ରଥମେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ତରଫରୁ ଉତ୍ତର-ପୂର୍ବ ଦିଲ୍ଲୀରେ ଏକ ମାସ (୨୦୨୦ ଫେବ୍ରୁଆରି ୨୪ରୁ ମାର୍ଚ୍ଚ ୨୪) ପାଇଁ ୧୪୪ ଧାରା ଜାରି କରିଦିଆଯାଇଥିଲା। ମାତ୍ର ପରେ ଅସମ୍ଭାଳ ହେବାରୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ଦିଆଯାଇଛି ।

ଦିଲ୍ଲୀର ମୌଜପୁର, ବାବରପୁର, ଜାଫରାବାଦ, ଗୋକୁଳପୁରୀ, ବୃଜପୁରୀ ଆଦି ଅଞ୍ଚଳରେ ପୁଲିସ ଓ ରାପିଡ ଆକ୍ସନ ଫୋର୍ସ (ଆରପିଏଫ୍‌) ମୁତୟନ କରାଯାଇଛି। ମଙ୍ଗଳବାର ସକାଳୁ ମୌଜପୁର ସମ୍ମୁଖ ବ୍ରହ୍ମପୁରୀ ଅଞ୍ଚଳରେ ପଥରମାଡ଼ ହୋଇଥିଲା।  ତେଣେ ଗୁରୁ ତେଗ ବାହାଦୂର ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ଗଣମାଧ୍ୟମକୁ କହିଛନ୍ତି, ସୋମବାର ୧୦୦ ଜଣ ଆହତଙ୍କୁ ଏଠାରେ ଭର୍ତ୍ତି କରାଯାଇଥିଲା। ଆଜି ପୁଣି ୩୫ ଜଣ ଆହତଙ୍କୁ ଭର୍ତ୍ତି କରାଯାଇଛି। ଗତକାଲି ୪ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଆଜି ପୁଣି ୯ ଜଣଙ୍କର ମୃତ୍ୟୁ ଘଟିଛି।

ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲ ଓ ଦିଲ୍ଲୀ ପୁଲିସ କମିସନର ଅମୂଲ୍ୟ ପଟ୍ଟନାୟକ ସୋମବାର ହିଂସାରେ ସହିଦ ହୋଇଥିବା ଦିଲ୍ଲୀ ପୁଲିସର ହେଡ୍ କନ୍‌ଷ୍ଟେବଳ ରତନଲାଲଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ସମ୍ବନ୍ଧିତ ଖବର