ବାୟୁସେନାକୁ ମିଳିବ ୧୧୦ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ବାୟୁସେନା ପାଇଁ ଭାରତ ୧୧୦ଟି ଯୁଦ୍ଧ ବିମାନ କିଣିବ। ୧୫ ଶହ କୋଟି ଡଲାରରୁ ଊର୍ଦ୍ଧ୍ୱ ଏହି କାରବାର ପାଇଁ ବୋଇଙ୍ଗ୍‌, ଲକହିଡ୍‌, ମାର୍ଟିନ୍‌, ସାବ୍‌ ଏବଂ ଡାସଲ୍ଟ ଆଭିଏସନ୍‌ କମ୍ପାନି ମଧ୍ୟରେ ପ୍ରତିଯୋଗିତା ହେବ। ବାୟୁସେନା ପକ୍ଷରୁ ଆଜି ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ ରଣନୀତିକ ସହଯୋଗୀ ରାଷ୍ଟ୍ର ସହାୟତାରେ ଭାରତରେ ଏହି ବିମାନର ୮୫ ପ୍ରତିଶତ ନିର୍ମାଣ ହେବ। ତେବେ ୧୧୦ ଯୁଦ୍ଧ ବିମାନ ପାଇଁ ପ୍ରସ୍ତାବ ଦାଖଲ କରିବାପାଇଁ ଭାରତୀୟ ବାୟୁସେନା ବିଭାଗ ଦ୍ୱାରା ଆଜି ବୈଶ୍ୱିକ କମ୍ପାନିଗୁଡ଼ିକୁ କୁହାଯାଇଛି। ଏବେ ସାରା ବିଶ୍ୱରେ ଏହା ସବୁଠାରୁ ବଡ଼ ସାମରିକ କାରବାର ବୋଲି କୁହାଯାଉଛି। ଉଭୟ ସିଙ୍ଗଲ ଇଞ୍ଜିନ୍‌ ଏବଂ ଟ୍ଵିନ୍‌ ଇଞ୍ଜିନ୍‌ ବିଶିଷ୍ଟ ଏହି ଯୁଦ୍ଧ ବିମାନଗୁଡ଼ିକର ନିର୍ମାଣ ପାଇଁ ଖୁବ୍‌ ଶୀଘ୍ର ଟେଣ୍ଡର ଆରମ୍ଭ ହେବ। ନୂଆ ଆବଶ୍ୟକତା ଅନୁଯାୟୀ ୟୁରୋଫାଇଟର ଟାଇଫୁନ୍‌ ଏବଂ ରୁଷୀୟ ବିମାନ ମଧ୍ୟ ଏବେ ପ୍ରମୁଖ ଭାବେ ପ୍ରତିଯୋଗିତାରେ ରହିବ। ବାୟୁସେନାରେ ଥିବା ସୋଭିଏତ୍‌ ଯୁଗର ଏମଆଇଜି ଯୁଦ୍ଧବିମାନ ସ୍ଥାନରେ ନୂଆ ବିମାନ ଆଣିବା ଯୋଜନା ତ୍ୱରାନ୍ଵିତ ହୋଇଥିବାରୁ ଆଗକୁ ଏ କ୍ଷେତ୍ରରେ ଆଶାତୀତ ଶକ୍ତି ବୃଦ୍ଧି ହେବ।

ସମ୍ବନ୍ଧିତ ଖବର