ଆସ୍ଥା ଭୋଟ୍‌ ଜିଣିଲେ କୁମାରସ୍ୱାମୀ

୧୧୭ ବିଧାୟକଙ୍କ ସମର୍ଥନ, ବିଜେପିର କକ୍ଷତ୍ୟାଗ

ନୂଆଦିଲ୍ଲୀ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇଛନ୍ତି। ବିଧାନସଭାରେ ଆଗତ ଆସ୍ଥା ପ୍ରସ୍ତାବ ସମର୍ଥନରେ ୧୧୭ ବିଧାୟକ ଭୋଟ୍‌ ଦେଇଥିଲେ। ୨ ଜଣ ସ୍ୱାଧୀନ ଏବଂ ଜଣେ ବିଏସ୍‌୍‌ପି ବିଧାୟକ ମେଣ୍ଟ ସରକାରଙ୍କ ସମର୍ଥନରେ ଭୋଟ୍‌ ଦେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ବିଜେପି ବିଧାୟକମାନେ କଂଗ୍ରେସ-ଜେଡିଏସ୍‌ ସରକାରକୁ ବେଆଇନ ଦର୍ଶାଇ କକ୍ଷତ୍ୟାଗ କରିଥିଲେ। ଭୋଟ୍‌ ଗ୍ରହଣ ପୂର୍ବରୁ କେ.ଆର. ରମେଶ କୁମାର ସର୍ବସମ୍ମତିକ୍ରମେ ବିଧାନସଭା ବାଚସ୍ପତି ନିର୍ବାଚିତ ହୋଇଥିଲେ। ବୁଧବାର ଜେଡିଏସ୍‌୍‌ ନେତା କୁମାରସ୍ୱାମୀ ରାଜ୍ୟର ୩୦ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ରାଜ୍ୟରେ ଝୁଲା ବିଧାନସଭା ସ୍ଥିତି ସୃଷ୍ଟି ହେବାପରେ କଂଗ୍ରେସ ସହ ଜେଡିଏସ୍‌ ହାତ ମିଳାଇଥିଲା ଏବଂ କଂଗ୍ରେସ ମୁଖ୍ୟମନ୍ତ୍ରୀ ପଦ ଜେଡିଏସ୍‌୍‌କୁ ଛାଡ଼ିବା ପାଇଁ ରାଜି ହେବାପରେ ସରକାର ଗଠନ ପ୍ରକ୍ରିୟା ଆଗକୁ ବଢ଼ିଥିଲା। ବିଜେପି ରାଜ୍ୟରେ ସବୁଠାରୁ ବଡ଼ ଦଳ ହୋଇଥିବାରୁ ରାଜ୍ୟପାଳ ବିଜେପିକୁ ସରକାର ଗଠନ ସୁଯୋଗ ଦେଇଥିଲେ। କିନ୍ତୁ ଗୃହରେ ବିଜେପି ସଂଖ୍ୟାଗରିଷ୍ଠତା ପ୍ରମାଣ ଦେଇପାରି ନଥିଲା ଏବଂ ଆସ୍ଥା ଭୋଟ୍‌ ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଏସ୍‌୍‌ ୟେଦୁରପ୍ପା ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଆଜି କୁମାରସ୍ୱାମୀ ଆସ୍ଥା ଭୋଟ୍‌ ଆଗତ କରିବା ପରେ ବିଜେପି ବିଧାୟକମାନେ ମେଣ୍ଟ ସରକାର ବିରୋଧରେ ସ୍ଲୋଗାନ ଦେଇ କକ୍ଷତ୍ୟାଗ କରିଥିଲେ।

ଗୃହରେ ବିରୋଧୀ ଦଳ ନେତା ବି.ଏସ୍‌. ୟେଦୁରପ୍ପା ଆଜି ତାଙ୍କ ଭାଷଣରେ କହିଥିଲେ ଯେ କେବଳ ବିଜେପିକୁ ସରକାର ଗଠନରୁ ଦୂରେଇ ରଖିବା ପାଇଁ ରାଜ୍ୟରେ କଂଗ୍ରେସ ଏବଂ ଜେଡିଏସ୍‌ ହାତ ମିଳାଇଛନ୍ତି। ତେବେ କଂଗ୍ରେସ ଦ୍ୱିତୀୟ ବଡ଼ ଦଳ ହୋଇଥିଲେ ମଧ୍ୟ ଏହା କାହିଁକି ମୁଖ୍ୟମନ୍ତ୍ରୀ ପଦ ନିଜ ହାତରେ ରଖିଲା ନାହିଁ ବୋଲି ୟେଦୁରପ୍ପା ପ୍ରଶ୍ନ କରିଥିଲେ। କଂଗ୍ରେସର ଏଭଳି ହତାଶା ଏବଂ ଅନୈତିକ ଆଚରଣ ଦେଖି ରାଜ୍ୟବାସୀ ହସୁଛନ୍ତି ଏବଂ ଏଥିପାଇଁ ଆଗକୁ କଂଗ୍ରେସକୁ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ସେ କହିଥିଲେ। ୟେଦୁରପ୍ପା କହିଥିଲେ ଯେ ରାଜ୍ୟରେ ୫୩ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିବା ପାଇଁ ସେ ଯୋଜନା କରିଥିଲେ। କଂଗ୍ରେସ ମଧ୍ୟ କୃଷକଙ୍କୁ ଋଣଛାଡ଼ ପ୍ରତିଶ୍ରୁତି ଦେଇଥିଲା ଏବଂ ଏବେ ଏହି ଦଳ କ୍ଷମତାକୁ ଆସିଥିବାରୁ ୨୪ ଘଣ୍ଟା ମଧ୍ୟରେ କୃଷି ଋଣ ଛାଡ଼ ଘୋଷଣା ହେବା ଆବଶ୍ୟକ ବୋଲି ସେ କହିଥିଲେ। ଅନ୍ୟଥା ବିଜେପି ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ। କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଏବଂ ଜେଡିଏସ୍‌କୁ ଜନମତ ମିଳିନଥିଲା ଏବଂ ଉଭୟ ଦଳ ଅନୈତିକ ମେଣ୍ଟ କରି କ୍ଷମତା ଦଖଲ କରିଥିବାରୁ ଏହି ସରକାର ବିରୋଧରେ ପ୍ରବଳ ଜନ ଆକ୍ରୋଶ ରହିଛି ବୋଲି ସେ କହିଥିଲେ। ୟେଦୁରପ୍ପାଙ୍କ ଭାଷଣର ଜବାବରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଥିଲେ ଯେ ୟେଦୁରପ୍ପାଙ୍କ ଭାଷଣ ନାଟକର ସଂଳାପ ଭଳି ଲାଗୁଛି ଏବଂ ଏଥିରେ ଶାଳୀନତା ନାହିଁ। ଜନସାଧାରଣ ବିଜେପିକୁ ମଧ୍ୟ କ୍ଷମତାକୁ ଆସିବା ପାଇଁ ସମର୍ଥନ ଦେଇନାହାନ୍ତି ବୋଲି ସେ କହିଥିଲେ। ଲୋକଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବା ପାଇଁ କଂଗ୍ରେସ-ଜେଡିଏସ୍‌ ସରକାର ଗଠନ ହୋଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର