ନୂଆଦିଲ୍ଲୀ: ବିଶ୍ବର ସର୍ବାଧିକ ବ୍ୟବହୃତ ସୋସିଆଲ୍ ନେଟ୍ୱର୍କିଂ ସାଇଟ୍ ଫେସ୍ବୁକ୍କୁ ହ୍ୟାକରମାନେ ପୁଣି ଟାର୍ଗେଟ୍ କରିଛନ୍ତି। ସେମାନେ ଏଥର ୧୨ କୋଟି ଫେସ୍ବୁକ୍ ଆକାଉଣ୍ଟକୁ ହ୍ୟାକ୍ କରିବାରେ ସଫଳ ହୋଇଛନ୍ତି। ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ଏମାନେ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥା ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଅନ୍ଲାଇନ୍ରେ ପ୍ରଘଟ ମଧ୍ୟ କରିଛନ୍ତି। ବିବିସି ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ତଥ୍ୟ ମିଳିଛି। ରିପୋର୍ଟ ମୁତାବକ ଫେସ୍ବୁକ୍କୁ ହ୍ୟାକର୍ମାନେ ବାରମ୍ବାର ଟାର୍ଗେଟ୍ କରି ପ୍ରଭୂତ କ୍ଷତି ଘଟାଇଲେଣି। କିନ୍ତୁ ଏ ବାବଦରେ କମ୍ପାନି ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇ ନାହିଁ। ଏଥର ୧୨ କୋଟି ୟୁଜରଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହ୍ୟାକରମାନେ ଏହାକୁ ଚୋରାଇ ନେଇଛନ୍ତି। ଏମିତି କି ଅନ୍ଲାଇନ୍ରେ ଏହାର ପ୍ରସାର କରୁଛନ୍ତି। ଏହାଦ୍ବାରା ଅର୍ଥ ରୋଜଗାର କରିବାରେ ହ୍ୟାକର୍ମାନେ ସଫଳ ହେଉଛନ୍ତି। ତେବେ ହ୍ୟାକର୍ଙ୍କ ହାତରେ ଯେଉଁମାନଙ୍କ ଫେସ୍ବୁକ୍ ଆକାଉଣ୍ଟ ଓ ତଥ୍ୟ ପଡ଼ିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ ୟୁଜର ୟୁକ୍ରେନ୍ ଓ ରୁଷ୍ର ବୋଲି ଜଣାପଡ଼ିଛି। ଏହାଛଡ଼ା ବ୍ରିଟେନ୍, ଆମେରିକା ଓ ବ୍ରାଜିଲ୍ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକର ଫେସ୍ବୁକ୍ ଉପଭୋକ୍ତା ମଧ୍ୟ ପ୍ରଭାବିତ ହୋଇଥିବା କୁହାଯାଉଛି।
ରିପୋର୍ଟ ଦର୍ଶାଇଛି ଯେ ହ୍ୟାକର୍ମାନେ ଆକାଉଣ୍ଟ ପିଛା ୧୦ ସେଣ୍ଟ ଦାବି କରୁଛନ୍ତି। ଏହି ଅର୍ଥ ଦେଲେ ଫେସ୍ବୁକ୍ ଆକାଉଣ୍ଟକୁ ସମ୍ପୂର୍ଣ୍ଣ ଭାବେ ଆସେସ୍ କରାଯାଇ ପାରିବ। ସେପ୍ଟେମ୍ବରରେ ହ୍ୟାକର୍ମାନେ ଏହି ଆକାଉଣ୍ଟଗୁଡ଼ିକୁ ହ୍ୟାକ୍ କରିଥିବା ବେଳେ ଗତ କିଛିଦିନ ହେବ ଏଗୁଡ଼ିକର ଅପବ୍ୟବହାର କରି ଅର୍ଥ ରୋଜଗାର କରୁଛନ୍ତି। କିନ୍ତୁ ଫେସ୍ବୁକ୍ ଏହି ରିପୋର୍ଟକୁ ଖଣ୍ଡନ କରିଛି। ଏହାର ସିଷ୍ଟମ୍ଗୁଡ଼ିକ ସୁରକ୍ଷିତ ରହିଛି ଏବଂ ଏହାକୁ ଆଦୌ ହ୍ୟାକ୍ କରାଯାଇ ନାହିଁ କିମ୍ବା ଲୋକଙ୍କ ତଥ୍ୟ ଆସେସ୍ କରାଯାଉ ନାହିଁ ବୋଲି ଫେସ୍ବୁକ୍ ଦାବି କରିଛି। ଫେସ୍ବୁକ୍ର ଉପସଭାପତି (ଉତ୍ପାଦ) ଗାଏ ରୋଜ୍ କହିଛନ୍ତି, ଆମେ ଆମ ବ୍ରାଉଜର ନିର୍ମାତାଙ୍କ ସହିତ ଯୋଗାଯୋଗ କରିଛୁ। ସେଭଳି କୌଣସି ଅନିଷ୍ଟକାରୀ ଘଟଣା ଘଟିନାହିଁ। ତା’ଛଡ଼ା ଆମେ ପ୍ରଭାବିତ ରାଷ୍ଟ୍ରଗୁଡ଼ିକର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହିତ ମଧ୍ୟ ଯୋଗାଯୋଗ କରି ଫେସ୍ବୁକ୍ ଆକାଉଣ୍ଟରେ ପ୍ରଦର୍ଶିତ ହେଉଥିବା ୱେବ୍ସାଇଟ୍କୁ ହଟାଇବା ପାଇଁ ପରାମର୍ଶ ଦେଇଛୁ। ଏହାଦ୍ବାରା ସମ୍ଭାବ୍ୟ ହ୍ୟାକିଂକୁ ଏଡ଼ାଯାଇ ପାରିବ।