ନଈ ପହଁରି ଯାଉଥିବା ବାଘକୁ ଠେଙ୍ଗାରେ କେଞ୍ଚାକେଞ୍ଚି କରି ୧୨ ମତ୍ସ୍ୟଜୀବୀ ଗିରଫ

କୋଲକାତା: ନଈ ପହଁରି ଯାଉଥିବା ଗୋଟାଏ ମହାବଳ ବାଘକୁ ୧୨ ଜଣ କେଉଟ ବା ମତ୍ସ୍ୟଜୀବୀ ବାଉଁଶ ଠେଙ୍ଗାରେ କେଞ୍ଚାକେଞ୍ଚି କରୁଥିବା ଦୃଶ୍ୟର ଭିଡିଓ ଦେଖିବା ପରେ ଗୁରୁବାର ଦିନ ସୁନ୍ଦରବନ ଉପକୂଳୀୟ ପୁଲିସ ସେମାନଙ୍କୁ ଗିରଫ କରିଛି।

ଜୁନ୍‌ ୨୯ ତାରିଖ ଦିନ ସେ କେଉଟମାନେ ଏକ ଟ୍ରଲର୍‌ରେ ନଈର ତଳମୁଣ୍ଡକୁ ଯାଉଥିବା ବେଳେ ବାଘଟିଏ ପହଁରି ଯାଉଥିବାର ଦେଖିଥିଲେ। ସେମାନେ ନିକଟକୁ ଯାଇ ତାକୁ କେଞ୍ଚାକେଞ୍ଚି କରୁଥିବାର ଦୃଶ୍ୟ ଭିଡିଓରେ ଦେଖିବାକୁ ମିଳିଥିଲା।

ବନ୍ୟପ୍ରାଣୀ ଆଇନ୍‌ ୧୯୭୨ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି। ଅକାରଣରେ ଜନ୍ତୁମାନଙ୍କୁ ହଇରାଣ କରିବା ବା ନିର୍ଯାତନା ଦେବା ଏବେ ବଡ଼ ସମସ୍ୟା ହେଲାଣି। କୌଣସି ମତେ ମୁଁ ଏ ସବୁ ସହ୍ୟ କରିବି ନାହିଁ। ଦୋଷୀମାନେ ନିସ୍ତାର ପାଇବେ ନାହିଁ ବୋଲି କହିଛନ୍ତି ଜଙ୍ଗଲ ମନ୍ତ୍ରୀ ବିନୟ କୃଷ୍ଣ ବର୍ମନ୍‌।

ସୁନ୍ଦରବନ ଅଞ୍ଚଳରେ ଗୁଡ଼ାଏ ନଈ ଛନ୍ଦିମନ୍ଦି ହୋଇ ପ୍ରବାହିତ ହେଉଛନ୍ତି। ତେଣୁ ଗୋଟିଏ ଚଡ଼ାରୁ ଆଉ ଗୋଟିଏ ଚଡ଼ାକୁ ଯିବାକୁ ବାଘମାନେ ସବୁବେଳେ ନଈ ପହଁରି ଯାତାୟାତ କରନ୍ତି।

ଏହି ଘଟଣାର ଭିଡିଓ ଏ ସପ୍ତାହର ପ୍ରଥମ ଭାଗରେ ପ୍ରସାରିତ ହୋଇଥିଲା।

ଜଣେ ବନ ବିଭାଗ ଅଧିକାରୀ କହିଛନ୍ତି ଯେ କେବଳ ବାଘକୁ ହଇରାଣ କରିବାକୁ ହିଁ କେଉଟମାନେ ଟ୍ରଲର୍‌ର ଦିଗ ପରିବର୍ତ୍ତନ କରି ତା’ ନିକଟକୁ ଆସିଲେ। ସୌଭାଗ୍ୟକୁ ଅକ୍ଷତ ଅବସ୍ଥାରେ ବାଘ ନିଜ ଗନ୍ତବ୍ୟସ୍ଥଳୀ କେନ୍ଦୋ ଚଡ଼ାରେ ପହଞ୍ଚି ଯାଇଥିଲା।

ସୁନ୍ଦରବନ ଉପକୂଳୀୟ ପୁଲିସ ଓ ବନରକ୍ଷୀଙ୍କର ଏକ ଦଳ ଜୁନ୍‌ ୨ ତାରିଖ ଦିନ ସେ ଟ୍ରଲର୍‌ ଏବଂ କେଉଟମାନଙ୍କୁ ଚିହ୍ନଟ କରିଥିଲେ। ସେମାନଙ୍କୁ ଖୋଜାଖୋଜି କରିବା ପରେ ଆଜି ସକାଳେ ଗିରଫ କରାଗଲା ବୋଲି ସେ କହିଛନ୍ତି।

ସେ ପାଖ ଦେଇ ଅନ୍ୟ ଜଣେ କେହି ଡଙ୍ଗାରେ ଯାଉଥିବାବେଳେ ଭିଡିଓ ସୁଟିଙ୍ଗ୍‌ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର