ଗୁମ୍ଫାରେ ଫସି ରହିଛନ୍ତି ୧୨ ଫୁଟବଲ ଖେଳାଳି

ବର୍ଷାପାଇଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ

ବ୍ୟାଙ୍କକ୍‌: ବିଗତ ୫ ଦିନ ହେବ ଉତ୍ତର ଥାଇଲାଣ୍ଡର ଥମ୍‌ ଲୁଆଙ୍ଗ ନାଙ୍ଗ ଗୁମ୍ଫା ମଧ୍ୟରେ ୧୨ ଜଣ ଫୁଟବଲ ଖେଳାଳି ଫସି ରହିଛନ୍ତି। ସମସ୍ତ ଖେଳାଳିଙ୍କ ବୟସ ୧୧-୧୬ ବର୍ଷ ମଧ୍ୟରେ ହେବ ଏବଂ ସେମାନଙ୍କ ସହ ତାଙ୍କର କୋଚ(୨୫) ମଧ୍ୟ ଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର ପାଇଁ ଥାଇଲାଣ୍ଡ ପୁଲିସ୍‌, ଅଗ୍ନିଶମ ବିଭାଗ, ଥାଇଲାଣ୍ଡ ନୌସେନାକୁ ନିୟୋଜିତ କରାଯାଇଥିବା ସତ୍ତ୍ୱେ ସେମାନଙ୍କ କୌଣସି ଖୋଜ ଖବର ନମିଳିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଗୁମ୍ଫା ବାହାରେ ଖେଳାଳିଙ୍କ ପରିବାରବର୍ଗ ଓ ବୌଦ୍ଧ ଭିକ୍ଷୁମାନେ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଛି। ଅପରପକ୍ଷେ, ଲଗାଣ ବର୍ଷା ଯୋଗୁଁ ଗୁମ୍ଫା ମଧ୍ୟରେ ଜଳସ୍ତର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ସେଠାରେ ଅମ୍ଳଜାନର ସ୍ତର କମିବାକୁ ଲାଗିଛି। ଜଳସ୍ତର ବୃଦ୍ଧି ପାଉଥିବା ସାଙ୍ଗକୁ ମାଟି ଅତଡ଼ା ଧସିବା ଫଳରେ ଉଦ୍ଧାରକାର୍ଯ୍ୟ ମଧ୍ୟ ଠିକ୍‌ରେ ହୋଇପାରୁନାହିଁ। ତେବେ ଏହି ଗୁମ୍ଫାର ପଥର ଫଟାଇ ସେମାନଙ୍କୁ ଉଦ୍ଧାର କରାଯିବା ନେଇ ଏବେ ଯୋଜନା ଚାଲିଛି। ସେପଟେ, ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ଚୟ୍ୟୁତ୍‌ ଚନ୍‌-ଓ-ଚା କହିଛନ୍ତି ଯେ, ଏବେ ଯାଏଁ ସମସ୍ତ ଖେଳାଳି ଓ ତାଙ୍କ କୋଚ୍‌ ସୁରକ୍ଷିତ ଥିବା ଆଶା କରାଯାଉଛି ଏବଂ ଯଥାଶୀଘ୍ର ସେମାନଙ୍କୁ ଉଦ୍ଧାର କରାଯିବ। ମିଳିଥିବା ଖବର ମୁତାବକ, ଗତ ଶନିବାର ଦିନ ଉତ୍ତର ଥାଇଲାଣ୍ଡର ଚିଆଙ୍ଗ୍‌ ରାଇ ପ୍ରଦେଶରେ ୧୧ ଜଣିଆ ନାବାଳକ ଫୁଟବଲ ଟିମ୍‌ ସହ ତାଙ୍କ କୋଚ୍‌ ଲୁଆଙ୍ଗ ନାଙ୍ଗ ଗୁମ୍ଫା ବୁଲିବାକୁ ଯାଇଥିଲେ। ସେମାନେ ଗୁମ୍ଫା ବାହାରେ ସାଇକେଲ ରଖି ଭିତରକୁ ଦେଖିବାକୁ ଯାଇ ଆଉ ଫେରି ନାହାନ୍ତି। ଗୁମ୍ଫା ବାହାରେ ପଡ଼ିଥିବା ସେମାନଙ୍କ ସାଇକେଲକୁ ଦେଖି ସେମାନେ ଭିତରେ ଫସି ଯାଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର