ଉତ୍ତରକାଶୀରେ ୨୦୦ ମିଟର ତଳକୁ ଖସିଲା ଭ୍ୟାନ୍‌, ୩ ମହିଳାଙ୍କ ସମେତ ୧୩ ମୃତ, ୨ ଜୀବିତ

ଡେରାଡୁନ୍‌: ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣ ମହିଳାଙ୍କ ସମେତ ୧୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ରିପୋର୍ଟ ଅନୁସାରେ ଜିଲ୍ଲାର ଭଟଓ୍ଵାଡି ଅଞ୍ଚଳରେ ଆଜି ଅପରାହ୍ନରେ ଏକ ଭ୍ୟାନ୍‌ ୧୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଭୂପୃଷ୍ଠରୁ ୨୦୦ ମିଟର ଉଚ୍ଚରେ ଯାଉଥିବା ଭ୍ୟାନ୍‌ଟି  ଭାରସାମ୍ୟ ହରାଇଥିଲା। ଫଳରେ ଭ୍ୟାନ୍‌ ରାସ୍ତା ତଳକୁ ଏକ ଖାଇ ଭିତରକୁ ଖସି ପଡ଼ିଥିଲା।

ଏହି ଦୁର୍ଘଟଣାରେ ୨ ଜଣ ଶିଶୁ ବଞ୍ଚି ଯାଇଛନ୍ତି। ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ୧୩ ବର୍ଷୀୟ ମିନାକ୍ଷୀ ଓ ରାଧା ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ୟ ପୁର୍ନଜୀବନ ପାଇଛନ୍ତି।

ଉତ୍ତରାଖଣ୍ଡର ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପଟଓ୍ଵାଲ କହିଛନ୍ତି, ଋଷିକେଶ-ଗଙ୍ଗୋତ୍ରୀ ଜାତୀୟ ରାଜପଥରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭ୍ୟାନ୍‌ଟି ୧୫ ଜଣ ଯାତ୍ରୀଙ୍କୁ ନେଇ ଗଙ୍ଗୋତ୍ରୀ ଫେରୁଥିଲା। ଗାଡ଼ିର ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପଟଓ୍ଵାଲ ସୂଚନା ଦେଇଛନ୍ତି। ସୂଚନା ମିଳିବା ପରେ ପୁଲିସ ପହଞ୍ଚି ଜରୁରୀକାଳୀନ ସେବା ଯୋଗାଇଛି। ଆହତମାନଙ୍କୁ ଉତ୍ତରକାଶୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର