ବିହାରର‌େ ଥମୁନି ଶିଶୁ ମୃତ୍ୟୁ, ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ୧୩୪

ପାଟନା: ବିହାରରେ ଏନ୍‌ସେଫାଲାଇଟିସ୍‌ ମୃତ୍ୟୁସଂଖ୍ୟା ଏବେ ୧୩୪ ଅତିକ୍ରମ କଲାଣି। ସ୍ଥିତି ଦିନକୁ ଦିନ ବିଗିଡ଼ି ଯାଉଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିଲାଣି। କିନ୍ତୁ ବିଭିନ୍ନ ପଦକ୍ଷେପ ସତ୍ତ୍ବେ ଏଇଏସ୍‌ (ଆକ୍ୟୁଟ୍‌ ଏନସେଫାଲାଇଟିସ୍‌ ସି‌ଣ୍ଡ୍ରୋମ୍‌)କୁ ରୋକିବାରେ ସରକାର ସମର୍ଥ ହୋଇ ନାହାନ୍ତି। ଏଇଏସ୍‌ (ଗୋଟିଏ ପ୍ରକାର ମସ୍ତିଷ୍କ ଜ୍ବର) ଯୋଗୁଁ ଶତାଧିକ ଶିଶୁ ପ୍ରାଣ ହରାଇବା ଘଟଣା ଉଦାବଗଜନକ ପରିସ୍ଥିତି ସୃ‌ଷ୍ଟି କରିଛି। ପ୍ରାଣ ହରାଉଥିବା ପିଲାମାନଙ୍କ ବୟସ ୧୦ ବର୍ଷରୁ କମ୍ ଥିବା କୁହାଯାଉଛି। ଏଇଏସ୍ ଯୋଗୁଁ ଶିଶୁମାନେ ପ୍ରାଣ ହରାଉଛନ୍ତି ବୋଲି କୁହାଯାଉଥିଲେ ମଧ୍ୟ ବିଷାକ୍ତ ଲିଚୁକୁ ମଧ୍ୟ ଏହାର ଅନ୍ୟତମ କାରଣ ଦର୍ଶାଯାଉଛି।

ଏବେ ବି ବିଭିନ୍ନ ଡାକ୍ତରଖାନାରେ ଅନେକ ପିଲା ଚିକିତ୍ସିତ ହେଉଛନ୍ତି। ପିଲାମାନଙ୍କୁ ଜ୍ବର ହେବା ସହିତ କଂପନ, ବାନ୍ତି ହେଉଛି। ଅନେକ ପିଲା ଅଚେତ ହେବା ସହିତ ପକ୍ଷାଘାତର ମଧ୍ୟ ଶିକାର ହେଉଛନ୍ତି। ଉଲ୍ଲେଖଯୋଗ୍ୟ ୨୦୦୦ରୁ ୨୦୧୦ ମଧ୍ୟରେ ଏଇଏସ୍‌ ରୋଗରେ ବିହାରର ମୁଜାଫରପୁର ଜିଲ୍ଲାରେ ୧୦୦୦ରୁ ଅଧିକ ଶିଶୁ ପ୍ରାଣ ହରାଇଛନ୍ତି। ୨୦୧୨ରେ ୨୭୫ ଏବଂ ୨୦୧୪ରେ ସର୍ବାଧିକ ୩୫୫ ପିଲାଙ୍କର ମୃତ୍ୟୁ ଘଟିଥିଲା। ୨୦୧୮ ମସିହାରେ ୧୭ଟି ରାଜ୍ୟରେ ୧୦,୪୮୫ ଟି ଏନ୍‌ସେଫାଲାଇଟିସ୍‌ ମାମଲା ଚିହ୍ନଟ କରାଯାଇଥିଲା ଏବଂ ଏଥିଯୋଗୁଁ ୬୩୨ ଜଣଙ୍କର ମୃତ୍ୟୁ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ମୁଜାଫରପୁର ଗସ୍ତ କରି ଏସ୍‌କେଏମସିଏଚ୍‌ରେ ସ୍ଥିତି ସମୀକ୍ଷା କରିଛନ୍ତି। ଏସ୍‌କେଏମସିଏଚ୍‌ରେ ୨୫୦୦ ବେଡ୍‌ ବ୍ୟବସ୍ଥା କରିବାପାଇଁ ନୀତୀଶ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏଥିସହ ରୋଗୀଙ୍କ ପରିବାର ସଦସ୍ୟଙ୍କ ରହିବାପାଇଁ ଧର୍ମଶାଳା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଏହି ହସ୍ପିଟାଲ୍‌ରେ ବେଡ୍‌ ସଂଖ୍ୟା ୬୧୦ ଅଛି। ଅନ୍ୟପକ୍ଷେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ସ୍ଥିତି ନିୟନ୍ତ୍ରଣ ପାଇଁ ମୁଜାଫରପୁର ଏସ୍‌କେଏମ୍‌ସିଏଚ୍‌ରେ ୧୦୦ଟି ବେଡ୍‌ ବିଶି‌ଷ୍ଟ ଆଇସିୟୁ ନିର୍ମାଣ କରିବାପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି।

ଏଇଏସ୍‌ର କାରଣ କ’ଣ ? ଲିଚୁ ନା’ ଦାରିଦ୍ର୍ୟ
ଅଧିକାଂଶ ଏଇଏସ୍‌ ଆକ୍ରାନ୍ତ ଶିଶୁ ମୁଜାଫରପୁରର ଏସ୍‌କେଏମ୍‌ସିଏଚ୍‌ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି। ତେବେ ଏସ୍‌କେଏମ୍‌ସିଏଚ୍‌ର ଶିଶୁ ରୋଗ ବିଭାଗ ମୁଖ୍ୟ ଡ.ଜିଏସ୍‌ ସାହନି କହିଛନ୍ତି , ଏତେ ସଂଖ୍ୟାରେ ଶିଶୁ ଏଇଏସ୍‌ରେ ସଂକ୍ରମିତ ହେବାର କାରଣ କେବଳ ଲିଚୁ ନୁହେଁ। ଏହା ହୋଇଥିଲେ ସହରାଞ୍ଚଳର ଶିଶୁମାନେ ମଧ୍ୟ ଏଇଏସ୍‌ରେ ପ୍ରାଣ ହରାଇଥାନ୍ତେ। ଗତ ୨ ଦଶନ୍ଧି ମଧ୍ୟରେ ସହରାଞ୍ଚଳରୁ କେବଳ ୨ ଜଣ ଏଇଏସ୍‌ରେ ପୀଡ଼ିତ ଥିବା ଜଣାପଡ଼ିଛି। ଏଇଏସ୍‌ରେ ପ୍ରାଣ ହରାଉଥିବା ଅଧିକାଂଶ ଶିଶୁଙ୍କ ପରିବାରର ଆର୍ଥିକ ସ୍ଥିତି ସେତେ ସୁଦୃଢ଼ ନାହିଁ। ଅନେକ ମଧ୍ୟ ଅପପୁଷ୍ଟି ଓ ଅନାହାରର ଶିକାର। ତେବେ ବିଶେଷଜ୍ଞମାନେ ‌କହୁଛନ୍ତି ରୋଗ ପାଇଁ କେବଳ ଲିଚୁକୁ ଦାୟୀ କରାଯିବନି। ଯେଉଁ ଉପ‌‌ାୟରେ ଲିଚୁ ଖିଆଯାଉଛି ତାହା ହିଁ ଏବେ ସମସ୍ୟା ହୋଇଛି। ଅଧିକାଂଶ ଏଇଏସ୍‌ ଆକ୍ରାନ୍ତ ଶିଶୁ ଅପପୁଷ୍ଟିର ଶିକାର। ତେଣୁ ଖାଲି ପେଟରେ ଲିଚୁ ଖାଇବାଦ୍ବାରା ଏହା କାଳ ହେଉଛି। ଶରୀରରେ ଶର୍କରାସ୍ତର କମି ପିଲାମାନେ ହାଇପୋଗ୍ଲାଇସିମିଆର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର