ଇଜିପ୍ଟରେ ପୁରୁଣା ଆକ୍ରମଣ ପାଇଁ ଦୋଷୀ: ୧୫ ଆତଙ୍କବାଦୀ ପାଇଲେ ଫାଶୀ

କାଏରୋ(ଇଜିପ୍ଟ): ୨୦୧୩ ମସିହାରେ ଇଜିପ୍ଟର ସିନାଇ ଠାରେ ସଂଘଟିିତ ଏକ ଆତଙ୍କବାଦୀ ଆକ୍ରମଣ ମାମଲାରେ ଆଜି ସରକାର ୧୫ ଜଣ ଆଇଏସ୍‌ ଆତଙ୍କବାଦୀଙ୍କୁ ଫାଶୀ ଦେଇଛନ୍ତି। ଚାରି ବର୍ଷ ତଳେ ଦେଶରେ ଦେଖାଦେଇଥିବା ଗୃହଯୁଦ୍ଧ ପରଠାରୁ ଗୋଟିଏ ଦିନରେ ସର୍ବାଧିକ ଫାଶୀ ପାଇବାରେ ଏହା ରେକର୍ଡ ବୋଲି କୁହାଯାଉଛି। ସୂଚନା ଥାଉ କି, ୨୦୧୩ ମସିହାରେ ସିନାଇ ଉପଦ୍ୱୀପରେ ଥିବା ଏକ ପୁଲିସ୍‌ ଚେକ୍‌ପୋଷ୍ଟ ଉପରେ ଆଇଏସ୍‌ ଆତଙ୍କବାଦୀମାନେ ହମ୍‌ଲା କରିଥିଲେ।

ଏଥିରେ ଜଣେ ସାମରିକ ଅଧିକାରୀ ଏବଂ ୮ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିଲା। ତେବେ ସେହି ମାମଲାରେ ଧରାପଡ଼ିଥିବା ସନ୍ଦିଗ୍ଧ ଆତଙ୍କବାଦୀଙ୍କ ମଧ୍ୟରୁ ୧୫ ଜଣଙ୍କୁ ସରକାର ପୂର୍ବରୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ। ତେବେ ଆଜି ସେମାନଙ୍କୁ ଫାଶୀ ଦିଆଯାଇଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ଅପରାଧୀଙ୍କୁ ଫାଶୀ ଦେବା ଘଟଣା ଇଜିପ୍ଟ ସରକାର ଆପଣେଇଥିବା ଆତଙ୍କବାଦ ବିରୋଧୀ ଆଭିମୁଖ୍ୟର ପ୍ରତିଫଳନ ବୋଲି କୁହାଯାଉଛି। ଏଠାରେ ସ୍ମରଣଯୋଗ୍ୟ, ଗତ ମାସରେ ସିନାଇ ସ୍ଥିତ ଏକ ମସ୍‌ଜିଦ୍‌ରେ ଆତଙ୍କବାଦୀ ଆକ୍ରମଣରେ ୩୦୦ରୁ ଅଧିକ ନାଗରିକଙ୍କର ମୃତ୍ୟୁ ହୋଇଥିଲା। ଏହା ପରେ ସରକାର ଆତଙ୍କବାଦ ଦମନ ପାଇଁ କଠୋରରୁ କଠୋର ପଦକ୍ଷେପ ନେବା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର