ଦିଲ୍ଲୀ ପ୍ରଦୂଷଣ ପୁଣି ଅଣାୟତ୍ତ, ୧୫ ଟ୍ରେନ୍‌ ବାତିଲ, ୩୦ ବିଳମ୍ବିତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳର ପ୍ରଦୂଷଣ ମାତ୍ରା ପୁଣି ଅସମ୍ଭାଳ କରିଛି। ଘନ ଧୂମାଳ କୁହୁଡ଼ି ଚାଦର ତଳେ ରାଜଧାନୀବାସୀ ଗତକାଲି ଠାରୁ ହନ୍ତସନ୍ତ ହେଉଛନ୍ତି। ଦିଲ୍ଲୀ ସମେତ ଆଖପାଖ ଇଲାକାରେ ଏହି ସ୍ଥିତି ଲାଗି ରହିଥିବାରୁ ଆଜି ୧୫ଟି ଟ୍ରେନ୍‌ର ଯାତାୟତକୁ ବାତିଲ କରିଦିଆଯାଇଥିବା ବେଳେ ୩୦ଟି ଟ୍ରେନ୍‌ର ଯାତ୍ରା ବିଳମ୍ବିତ ହୋଇଛି। ଫଳରେ ରେଳଯାତ୍ରୀମାନେ ନାହିଁନଥିବା ହିନସ୍ତା ଭୋଗିଛନ୍ତି। ଆଜି ସକାଳେ ଦିଲ୍ଲୀର ହାରାହାରି ସର୍ବନିମ୍ନ ତାପମାତ୍ରା ୧୨ ଡିଗ୍ରି ସେଲ୍‌ସିଅସ୍‌ ରହିଥିଲା। ତେବେ ସକାଳେ ଦୃଶ୍ୟମାନ ଦୂରତା ୪୦୦ ମିଟରକୁ ଖସି ଆସିଥିବା ବେଳେ ଦିନ ତମାମ ବାୟୁମଣ୍ଡଳର ଆର୍ଦ୍ରତା ୯୫ ପ୍ରତିଶତ ରହିଥିଲା। ତେଣୁ ଟ୍ରେନ୍‌ଗୁଡ଼ିକର ଯାତାୟତରେ ରେଳବିଭାଗ ଏପରି ପରିବର୍ତ୍ତନ ଆଣିଥିବା ଜଣାଯାଇଛି। ଧୂମାଳ କୁହୁଡ଼ିକୁ ହଟାଇବା ଲାଗି ଗତକାଲି ସ୍ଥାନୀୟ ଆନନ୍ଦ ବିହାର ଇଲାକାରେ ଆଣ୍ଟି ସ୍ମଗ୍‌ ଗନ୍‌ର ପରୀକ୍ଷାମୂଳକ ବ୍ୟବହାର କରାଯାଇଥିଲା। ତେବେ ଏହାର କାଣିଚାଏ ପ୍ରଭାବ ପଡ଼ିନଥିବା ଜଣାଯାଇଛି। ସାରା ଉତ୍ତର ଭାରତରେ ଲାଗି ରହିଥିବା ଭୀଷଣ ଥଣ୍ଡା ପାଗ ଯୋଗୁଁ ଏଭଳି ସ୍ଥିତି ରହିଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର