ନେପାଳ-ଚୀନ୍‌ ସୀମାରେ ଫସିଛନ୍ତି ୧୫୦୦ରୁ ଊର୍ଦ୍ଧ୍ୱ ମାନସରୋବର ଯାତ୍ରୀ

କାଠମାଣ୍ଡୁ : କୈଳାସ ମାନସରୋବର ଯାତ୍ରାରୁ ଫେରିବା ବାଟରେ ଏବେ ୧୫୦୦ରୁ ଊର୍ଦ୍ଧ୍ୱ ଭାରତୀୟ ତୀର୍ଥଯାତ୍ରୀ ନେପାଳ-ଚୀନ୍‌ ସୀମାରେ ଫସି ରହିଛନ୍ତି। ଗତ ଦୁଇ ଦିନର ଲଗାଣ ବର୍ଷା ସାଙ୍ଗକୁ ଅତି ଶୋଚନୀୟ ପାଗ ହେତୁ ନେପାଳ ପାର୍ବତ୍ୟାଞ୍ଚଳରେ ଫସି ରହିଛନ୍ତି ୧୫୦୦ରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ। ତେବେ ତୀର୍ଥଯାତ୍ରୀମାନଙ୍କୁ ସେନା ହେଲିକପ୍ଟର ଦ୍ୱାରା ବିପଜ୍ଜନକ ସ୍ଥାନରୁ ସୁରକ୍ଷିତ ଜାଗାକୁ ଆଣିବାପାଇଁ ନେପାଳ ସରକାରଙ୍କୁ ଅନୁରୋଧ କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ଏବେ କାଠମାଣ୍ଡୁରେ ଥିବା ଭାରତୀୟ ଦୂତାବାସ ଭାରତୀୟ ତୀର୍ଥଯାତ୍ରୀମାନଙ୍କ ଖବର ବୁଝୁଛନ୍ତି। କୈଳାସ ମାନସରୋବର ଯାତ୍ରାର ନେପାଳଗଞ୍ଜ-ସିମିକୋଟ୍‌-ହିଲ୍‌ସା ରୁଟ୍‌ର ସ୍ଥିତିକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି। ସମସ୍ତ ତୀର୍ଥଯାତ୍ରୀମାନଙ୍କୁ ଆବଶ୍ୟକୀୟ ସୁବିଧା ସୁଯୋଗ ପାଇଁ ନେପାଳଗଞ୍ଜ ଏବଂ ସିମିକୋଟ୍‌ରେ ଜଣେ ଜଣେ ପ୍ରତିନିଧି ରହିଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ କେରଳର ଜଣେ ମହିଳାଙ୍କର ଅସୁସ୍ଥତା ହେତୁ ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି।
ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି ଯେ ପାଖାପାଖି ୫୨୫ ଭାରତୀୟ ତୀର୍ଥଯାତ୍ରୀ ହୁମ୍‌ଲା ଜିଲ୍ଲାର ସିମିକୋଟ୍‌ରେ ଫସି ରହିଛନ୍ତି। ୫୫୦ ଜଣ ହିଲ୍‌ସାରେ ଏବଂ ୫୦୦ ଜଣ ତିବ୍ଦତ ପାର୍ଶ୍ୱରେ ଫସି ରହିଛନ୍ତି। କର୍ଣ୍ଣାଟକର ୨୫୦ ତୀର୍ଥଯାତ୍ରୀ ନେପାଳର ସିମିକୋଟ୍‌ରେ ଫସି ରହିଥିବା ଜଣାପଡ଼ିଛି। ତେବେ ସମସ୍ତ ତୀର୍ଥଯାତ୍ରୀମାନଙ୍କ ପାଇଁ ରିଲିଫ୍‌ ଏବଂ ଆବଶ୍ୟକୀୟ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଥିବା ଦୂତାବାସ ପକ୍ଷରୁ କୁହାଯାଇଛି। ବୟସ୍କ ଲୋକମାନଙ୍କୁ ଆଗୁଆ ଚିକିତ୍ସା ଯୋଗାଇ ଦିଆଯାଇଛି। ପାଗରେ ସାମାନ୍ୟ ସୁଧାର ଆସିବାମାତ୍ରେ ସଙ୍ଗେସଙ୍ଗେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ବୋଲି ଆଶ୍ୱସ୍ତି ପ୍ରଦାନ କରାଯାଇଛି। ତେବେ ଇତି ମଧ୍ୟରେ ୧୦୪ ତୀର୍ଥଯାତ୍ରୀ ଉଦ୍ଧାର ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର