ଲଣ୍ଡନର ଅକ୍ସଫୋର୍ଡ ଷ୍ଟ୍ରିଟ୍‌ରେ ଆତଙ୍କବାଦ ଗୁଜବ; ଧାଁଦୌଡ଼ରେ ୧୬ ଜଣ ଆହତ

ଲଣ୍ଡନ: ଶୁକ୍ରବାର ଦିନ ଲଣ୍ଡନର ଜନଗହଳି ଭରା ଅକ୍ସ୍‍ଫୋର୍ଡ ଷ୍ଟ୍ରିଟ୍‌ ସପିଙ୍ଗ୍‌ ଡିଷ୍ଟ୍ରିକ୍ଟ୍‌ରେ ଗୁଳିକାଣ୍ଡ ଘଟିଥିବା ଖବର ପାଇ ପୁଲିସ ଧାଇଁ ଯାଇଥିଲେ। ଏହାକୁ ଆତଙ୍କବାଦୀ କାର୍ଯ୍ୟ ଭାବି ଲୋକେ ଭୟଭୀତ ହୋଇପଡ଼ିଥିଲେ। ଛାନିଆ ହୋଇ ଧାଁଦୌଡ଼ କରିବାରୁ ୧୬ ଜଣ ଲୋକ ଆହତ ହୋଇଥିବା କଥା ଜଣାପଡ଼ିଛି।

ପୁଲିସ କହିବା ଅନୁସାରେ, ଅପରାହ୍ଣ ସାଢ଼େ ଚାରିଟା ପରେ ଖବର ମିଳିଲା ଯେ ଅକ୍ସଫୋର୍ଡ ସର୍କସ ଓ ତା’ର ଭୂତଳ ଷ୍ଟେସନ୍‌ରେ ଆତଙ୍କବାଦୀଙ୍କ ଆକ୍ରମଣ ହୋଇଛି। ସଶସ୍ତ୍ର ପୁଲିସ ଘଣ୍ଟାଏ କାଳ ସେ ଅଞ୍ଚଳକୁ ଚାରିଆଡୁ ଘେରିଯାଇ ତଲାସ ଆରମ୍ଭ କରିଥିଲେ।

ମାର୍ଚ ମାସ ଠାରୁ ସେଠାରେ ୭ ଥର ଆତଙ୍କବାଦୀ ଆକ୍ରମଣ ଘଟି ଯାଇଥିଲା। ତେଣୁ, ସୁରକ୍ଷିତ ରହିବାକୁ ଲୋକେ ଦୌଡ଼ା ଦୌଡ଼ି କରି ଜନଗହଳି ଭରା ଦୋକାନ ଭିତରେ ପଶି ଯାଉଥିଲେ।

ପରେ ପରେ ପୁଲିସର ଏମର୍‌ଜେନ୍‌ସି ନମ୍ବରକୁ ଅନେକଗୁଡ଼ିଏ କଲ୍‌ ଆସିଥିଲା।

ଘଣ୍ଟାଏ ପରେ ମେଟ୍ରୋପଲିଟାନ୍‌ ପୋଲିସ୍‌ କହିଲା ଯେ ସେଠାରେ କେହି ସନ୍ଦିଗ୍ଧ ବ୍ୟକ୍ତି ନାହାନ୍ତି। ଗୁଳି ଫୁଟି ନାହିଁ। କୌଣସି ଲୋକ ମଧ୍ୟ ମରି ନାହାନ୍ତି।

ଅକ୍ସଫୋର୍ଡ ସର୍କସ୍‌ ଅଣ୍ଡର୍‌ ଗ୍ରାଉଣ୍ଡ୍‌ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମରେ ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରେ କଳିକଜିଆ ଲାଗିବା ଘଟଣା ଆତଙ୍କବାଦୀ ଆକ୍ରମଣ ବୋଲି ପ୍ରଚାର ହୋଇ ଯିବାରୁ ଏ ଭଳି ପରିସ୍ଥିତି ଉପୁଜିଲା ବୋଲି ବ୍ରିଟିସ୍‌ ଟ୍ରାନ୍‌ସ୍‌ପୋର୍ଟ ପୁଲିସ କହିଛି।

ଝଗଡ଼ା କରିଥିବା ଦୁଇ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍‌ ରିଲିଜ୍‌ କରିଛି ପୁଲିସ। ବାସ୍ତବ ଘଟଣା କ’ଣ ଏବଂ ଲୋକେ କାହିଁକି ଷ୍ଟେସନ୍‌ରୁ ଧାଇଁ ପଳାଇଲେ ତାହା ଜଣାଇବାକୁ ଜନ ସାଧାରଣଙ୍କୁ ପୁଲିସ ନିବେଦନ କରିଛି।

‘ବ୍ଲାକ୍‌ ଫ୍ରାଇଡେ’ ଉପଲକ୍ଷେ ସେଠାରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ଦୌଡ଼ା ଦୌଡ଼ିରେ ଆହତ ହୋଇ ଥିବା ଲୋକଙ୍କ ମଧ୍ୟରୁ ନଅ ଜଣଙ୍କୁ ଲଣ୍ଡନର ଆମ୍ବୁଲାନ୍‌ସ୍‌ ସର୍ଭିସ୍‌ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା। ବାକି ସାତ ଜଣଙ୍କୁ ଘଟଣା ସ୍ଥଳରେ ସାମାନ୍ୟ ଚିକିତ୍ସା କରାଯାଇ ଛାଡ଼ି ଦିଆ ଯାଇଥିଲା।

ସମ୍ବନ୍ଧିତ ଖବର