ଅମୃତସର ସ୍ୱର୍ଣ୍ଣ ମନ୍ଦିରରେ ସୁନା ଛାଉଣୀ କରାଯିବ, ଲାଗିବ ୧୬୦ କିଲୋ ସୁନା

ଅମୃତସର : ଆହୁରି ଚମକିବ ଅମୃତସରର ସ୍ୱର୍ଣ୍ଣମନ୍ଦିର । ଏଥିରେ ଆଉ ୧୬୦ କିଲୋଗ୍ରାମ ଓଜନର ସୁନା ଚାଦର ଲାଗିବ । ଏଥିପାଇଁ ପ୍ରାୟ ୫୦ କୋଟି ଟଙ୍କା ବ୍ୟୟ କରାଯିବ । ପୂର୍ବରୁ ଶିଖମାନଙ୍କର ଏହି ପବିତ୍ର  ଧର୍ମପୀଠରେ  ଥିବା  ସରୋବର ମଝିରେ ଥିବା  ହରମନ୍ଦର ସାହେବ, ଅକାଲ ତକତର ଗମ୍ବୁଜ ଓ ଦର୍ଶନୀ ଦେଓଦୀଉପରେ ସୁନା ଆବରଣ ଦିଆଯାଇଥିଲା । ଏଥର ୪ଟି ପ୍ରବେଶ ପଥରେ ଥିବା ମୀନାର ଗୁଡ଼ିକୁ ମଧ୍ୟ ସ୍ୱର୍ଣ୍ଣ  ଆବରଣ ଦିଆଯିବ । ଏ ସଂପର୍କରେ ସୂଚନା ଦେଇ ଶୀରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟିର ମୁଖପାତ୍ର ଜିଲଜୀତ ସିଂ ବେଦୀ କହିଛନ୍ତି ଯେ  କମିଟି ୪ଟି ପ୍ରବେଶ ପଥରେ ଥିବା ମୀନାରଗୁଡ଼ିକୁ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଏଗୁଡ଼ିକ ଉପରେ ସୁନା ପ୍ରଲେପ ଦିଆଯିବ । ଆଜିକୁ ପ୍ରାୟ ୧୯୨ ବର୍ଷ ତଳେ ତତକାଳୀନ ପଂଜାବ ମହାରାଜା ରଣଜୀତ ସିଂ ସ୍ୱର୍ଣ୍ଣ ସେବା ଲାଗି ଏହି ମନ୍ଦିରକୁ ୧୬.୩୯ ଲକ୍ଷ ଟଙ୍କା ଦାନ କରିଥିଲେ । ଏହି ଅର୍ଥରେ ସୁନା ଛାଉଣି କରାଯାଇଥିଲା । ମହମ୍ମଦ ଖାଁ ନାମକ କାରିଗର ଏହି ସୁନା ଛାଉଣୀ କରିଥିଲେ । ମହାରାଜାଙ୍କ ପରବର୍ତ୍ତି ଉତ୍ତରାଧୀକାରୀମାନେ ମଧ୍ୟ ସୁନା ଦାନ ଦେଇଥିଲେ ।

ସମ୍ବନ୍ଧିତ ଖବର