କରୋନା ଭାଇରସ୍‌ ଆତଙ୍କ, ଚୀନ୍‌ର ୩ ସହର ଅଚଳ

୨ କୋଟି ଲୋକଙ୍କ ପାଇଁ ଯାତାୟତ କଟକଣା, ଆକ୍ରାନ୍ତଙ୍କ ସଂଖ୍ୟା ୬ ଶହ ଟପିଲା, ୯୫ ରୋଗୀ ଗୁରୁତର

ବେଜିଂ: କରୋନା ଭାଇରସ୍‌ ଚୀନ୍‌ରେ ୧୭ ଜଣଙ୍କ ଜୀବନ ନେଲାଣି ଏବଂ ୬୦୦ରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ୯୫ ଜଣ ଏହି ଭାଇରସ୍‌ ଯୋଗୁଁ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଥିବା ଚୀନ୍‌ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଭାଇରସ୍‌ ବ୍ୟାପୁଥିବା ଯୋଗୁଁ ଚୀନ୍‌ ଏ ଦିଗରେ ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛି। ଚୀନ୍‌ର ୩ଟି ସହର ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ଉହାନ୍‌ , ହୁଆଗାଙ୍ଗ୍‌ ଏବଂ ଇଜୋଉ ସହରରେ ପରିବହନ ଏବଂ ବ୍ୟବସାୟିକ କାରବାର ବନ୍ଦ ହୋଇଯାଇଛି। ଉହାନ୍‌ରେ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଉହାନ୍‌ରେ ଆଜି ସକାଳୁ ସମସ୍ତ ଗମନାଗମନ ନେଟୱର୍କ ସମ୍ପୂର୍ଣ୍ଣ ବନ୍ଦ କରାଯିବା ସହ ଲୋକଙ୍କୁ ସହର ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଉହାନ୍‌ଠାରୁ ୭୦ କିମି ଦୂର ହୁଆଗାଙ୍ଗ୍‌ରେ ମଧ୍ୟ ସମାନ କଟକଣା ଲାଗୁ ହୋଇଛି। ସମସ୍ତ ଯାନବାହନ ଯାଞ୍ଚ କରାଯାଉଛି ଏବଂ ବାର୍‌ ଓ ସିନେମା ହଲ୍‌ଗୁଡ଼ିକ ବନ୍ଦ ରହିଛି। ସେହିପରି ଅନ୍ୟ ଏକ ସହର ଇଜୋଉରେ ମଧ୍ୟ ବ୍ୟାପକ କଟକଣା ଲାଗୁ ହୋଇଛି। ଚୀନ୍‌‌ରେ ପ୍ରାୟ ୨୦ ନିୟୁତ ଲୋକଙ୍କୁ ଯାତାୟତ ପାଇଁ ବାରଣ କରାଯାଇଥିବା ଜଣାପଡ଼ିଛି। କରୋନା ଭାଇରସ୍‌ ନେଇ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଦ୍ବିତୀୟ ଦିନ ପାଇଁ ଜାରି ରହିଛି। କରୋନା ପାଇଁ ବିଶ୍ବରେ ସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଘୋଷଣା କରାଯିବ କି ନାହିଁ ସେ ନେଇ ମନ୍ଥନ ଜାରି ରହିଛି।

ଜାପାନ, ଦକ୍ଷିଣ କୋରିଆ ଏବଂ ହଂକଂରେ ମଧ୍ୟ ଅଧିକ କରୋନା ଭାଇରସ ଆକ୍ରାନ୍ତଙ୍କୁ ଠାବ କରାଯିବା ପରେ କଟକଣା ଏବଂ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଭାରତରେ ପ୍ରାୟ ୧୦ ହଜାର ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଇଛି ଏବଂ ନାଗରିକଙ୍କ ପାଇଁ ଯାତ୍ରା ସଂପର୍କିତ ସୁରକ୍ଷା ନିର୍ଦ୍ଦେଶନାମା ଜାରି ହୋଇଛି। ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ କୋଚିନ୍‌ ବିମାନ ବନ୍ଦରରେ ଚୀନ୍‌ରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯାଉଛି।

ସମ୍ବନ୍ଧିତ ଖବର