୨୦୧୯ରେ ଏପର୍ଯ୍ୟନ୍ତ କାଶ୍ମୀରରେ ୧୭ ଆତଙ୍କବାଦୀ ନିହତ ହୋଇଛନ୍ତି

ଶ୍ରୀନଗର : ଗତ ବର୍ଷ ପରି ଏ ବର୍ଷ ମଧ୍ୟ କାଶ୍ମୀରରେ ଆତଙ୍କବାଦୀ ନିପାତ ଅଭିଯାନର ଏକ ଧମାକାଦାର ଆରମ୍ଭ କରିଛି ଭାରତୀୟ ସେନା । ଗତ ଜାନୁୟାରୀ ମାସରେ ସେନା ପ୍ରାୟ ୧୫ ଜଣ ଆତଙ୍କବାଦୀଙ୍କୁ ନିପାତ କରିଛି । ତେବେ ଏହା ସହିତ ୨ ଜଣ ସେନା ଯବାନ, ଜଣେ ପୁଲିସ ଯବାନ ଓ ବିଏସଏଫର ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଗତ କାଲି ଅର୍ଥାତ ଫେବ୍ରୁଆରୀ ୧ ରେ ମଧ୍ୟ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।
ଗତ ବର୍ଷ କାଶ୍ମୀରରେ ମୋଟ ୨୫୭ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କେବଳ ଡିସେମ୍ବର ମାସରେ ୩୫ ଆତଙ୍କବାଦୀ ମରିଥିଲେ । ସେନାର ଏହି ସଫଳତା ପଛରେ ସରକାରଙ୍କ ବି ହାତ ରହିଛି । ଆତଙ୍କବାଦୀ ନିପାତ ପାଇଁ ସେନାର ହାତ ଖୋଲା କ୍ଷମତା ଦିଆଯାଇଛି । ଏପରିକି ଅପରେସନ ବେଳେ ପଥରମାଡ କରୁଥିବା ଲୋକମାନଙ୍କୁ ବି ସେନା ଆତଙ୍କବାଦି ହିସାବରେ ଗଣି ତାଙ୍କ ଉପରକୁ ଗୁଳି ଚଳାଉଛି । ୨୦୧୭ରେ କାଶ୍ମୀରରେ ଆତଙ୍କବାଦୀ ମୃତ୍ୟୁ ସଂଖ୍ୟା ୨୦୦ ଟପିଥିଲା । ୨୦୧୦ ପରେ ପ୍ରଥମ ଥର ପାଇଁ ଏହି ସଂଖ୍ୟା ୨୦୦ ଟପିଥିଲା । ୨୦୧୦ରେ ମୋଟ ୨୭୦ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହା ପରେ ଏହି ସଂଖ୍ୟା କମିଚାଲିଥିଲା । ୨୦୧୬ରେ ୧୬୫ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା ।

ସମ୍ବନ୍ଧିତ ଖବର