ଗୋଆରେ ୧୮୦୦୦ ଟ୍ୟାକ୍ସି ଧର୍ମଘଟରେ ସାମିଲ: ହଜାର ଜହାର ଯାତ୍ରୀ ହଟହଟା

ପଣଜୀ: ଧର୍ମଘଟକୁ ନିଷିଦ୍ଧ କରି ରାଜ୍ୟ ସରକାର ଏସ୍‌ମା ଲାଗୁ କରିବା ସତ୍ତ୍ୱେ ଗୋଆର ଟ୍ୟାକ୍ସି ଚାଳକମାନେ ଶୁକ୍ରବାର ଦିନ ଧର୍ମଘଟ ଚାଲୁ ରଖିଛନ୍ତି।

ଧର୍ମଘଟ ଯୋଗୁଁ  ରାଜ୍ୟର ୧୮୦୦୦ ଟ୍ୟାକ୍ସି ରାସ୍ତାରେ ଚଳପ୍ରଚଳ କରୁ ନ ଥିବାରୁ ରେଳଷ୍ଟେସନ୍‌, ବିମାନବନ୍ଦର, ହୋଟେଲ୍‌ ଆଦିରେ ଅନେକ ଯାତ୍ରୀ ଓ ପର୍ଯ୍ୟଟକ ଅଟକି ରହିଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି।

କେବଳ ବିମାନ ବନ୍ଦରରୁ ଯାତ୍ରୀ ଆଣୁଥିବା ହଳଦିଆ ଓ କଳା ରଙ୍ଗର ୩୫୦ଟି ଟ୍ୟାକ୍ସି ଆଜି ସକାଳେ ଯାତ୍ରୀ ପରିବହନ କରୁଥିବାର ଦେଖା ଯାଇଥିଲେ ମଧ୍ୟ ପରେ ସେମାନେ ଧର୍ମଘଟରେ ଯୋଗ ଦେଇଥିଲେ।

ଐକ୍ୟ ପ୍ରଦର୍ଶନ ପାଇଁ ଶହ ଶହ ଟ୍ୟାକ୍ସି ଚାଳକ ପଣଜୀର ଐତିହାସିକ ଆଜାଦ୍‌ ମୈଦାନରେ ଏକତ୍ର ହୋଇଥିଲେ।

ଉତ୍ତର ଗୋଆ ଟୁରିଷ୍ଟ୍‍ ଟ୍ୟାକ୍ସି ଓନର୍ସ ଆସୋସିଏସନ୍‌ର ସଭାପତି ଲକ୍ଷ୍ମଣ କୋର୍ଗାଓଁକର୍‌ କହିଛନ୍ତି: ଆମ ପ୍ରତି ରାଜ୍ୟ ସରକାର କରୁଥିବା ଅସୁବିଧା ସହି ପାରିବୁ ନାହିଁ। ଆମ ଗାଡ଼ିରେ ସ୍ପିଡ୍‌ ଗଭର୍ଣ୍ଣର୍‌ ଇନ୍‌ଷ୍ଟଲେସନ୍‌ କରାଇଦେବୁ ନାହିଁ। ଅନ୍ୟ ରାଜ୍ୟ ସବୁ ଏ ପର୍ଯ୍ୟନ୍ତ ଏହା ଇନ୍‌ଷ୍ଟଲ୍‌ କରି ନ ଥିବା ବେଳେ ଆମେ କାହିଁକି ତାହା କରିବାକୁ ବାଧ୍ୟ ହେବୁ?

ଧର୍ମଘଟକୁ ପ୍ରଭାବଶୂନ୍ୟ କରିବାକୁ ରାଜ୍ୟ ସରକାର ଘରୋଇ ଯାନ ଏବଂ ବସ୍‌ଗୁଡ଼ିକୁ ଯାତ୍ରୀ ପରିବହନରେ ଲଗାଇଛନ୍ତି।

ରାଷ୍ଟ୍ରାୟତ କଡ଼ାମ୍ବା ଟ୍ରାନ୍‌ସ୍‌ପୋର୍ଟ କର୍ପୋରେସନ୍‌ ଲିମିଟେଡ୍‌ ବିମାନ ବନ୍ଦରରୁ ଯାତ୍ରୀ ପରିବହନ କରାଇବାକୁ ୨୫ଟି ବସ୍‌ ମୁତୟନ କରିଛି। ରେଳଷ୍ଟେସନ୍‌କୁ ଯିବା ପାଇଁ ଆଉ ୭ଟି ବସ୍‌ ମଧ୍ୟ ମୁତୟନ କରାଯାଇଥିବା କଥା ପରିଚାଳନା ନିର୍ଦେଶକ ଡେରିକ୍‌ ନେଟ୍ଟୋ କହିଛନ୍ତି।

ବିମାନବନ୍ଦର ନିର୍ଦେଶକ ବିସିଏଚ୍‌ ନେଗି କହନ୍ତି: ରାଜ୍ୟ କର୍ତ୍ତୃପକ୍ଷ ଯଥେଷ୍ଟ ବ୍ୟବସ୍ଥା କରିଥିବାରୁ ଧର୍ମଘଟ ଯୋଗୁଁ ବିମାନ ବନ୍ଦର ପ୍ରଭାବିତ ହୋଇ ନାହିଁ।

ସମ୍ବନ୍ଧିତ ଖବର