୧୯୨୪ର କେରଳ ବନ୍ୟା ବିତ୍ପାତ: ଗାନ୍ଧିଜୀ ଆଦାୟ କରିଥିଲେ ୬୦୦୦ ଟଙ୍କା

ମହିଳାମାନେ ବିକିଥିଲେ ଗହଣା, ଛୋଟ ପିଲା ବି ଦାନ କରିଥିଲେ

ନୂଆଦିଲ୍ଲୀ: କେରଳରେ ୧୯୨୪ରେ ଆସିଥିଲା ସବୁଠୁ ଭୟଙ୍କର ବନ୍ୟା। ରାଜ୍ୟର ମାଲାବାର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲା। ହଜାର ହଜାର ଲୋକ ବାସହରା ହୋଇଥିଲେ। ଖାଇବାକୁ ଖାଦ୍ୟ ଓ ପିନ୍ଧିବାକୁ କପଡ଼ା ପାଇନଥିଲେ। ସେତେବେଳେ ଦେଶରେ ଇଂରେଜ ଶାସନ ଚାଲୁଥିଲା। ଏହି ସମୟରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କେରଳବାସୀଙ୍କ ପାଇଁ ସାଜିଥିଲେ ଦେବଦୂତ। କେରଳ ପାଇଁ ଦେଶବ୍ୟାପୀ ସ୍ୱତନ୍ତ୍ର ଅଭିଯାନ ଚଳାଇ ୬,୦୦୦ ଟଙ୍କା ଆଦାୟ କରିଥିଲେ ଗାନ୍ଧିଜୀ। ସେହି ସମୟରେ ଏହି ଟଙ୍କାର ମୂଲ୍ୟ ଢେର ଥିଲା। ନିକଟରେ ହୋଇଥିବା ବନ୍ୟା ଯୋଗୁ ୪୦୦ରୁ ଅଧିକ ଲୋକ ମରିଥିବା ବେଳେ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। କିନ୍ତୁ ୧୯୨୪ରେ ହୋଇଥିବା ବନ୍ୟା ଯୋଗୁ ତୁଳନାତ୍ମକ ଭାବେ ଅଧିକ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଇଂରେଜ ହାତରେ ଶାସନ କ୍ଷମତା ଥିଲେ ବି ମହାତ୍ମା ଗାନ୍ଧୀ ଦେଶରୁ ୬,୦୦୦ ଟଙ୍କା ଆଦାୟ କରି କେରଳକୁ ଦେଇଥିଲେ। ଏହାଦ୍ୱାରା ଅନେକ ଲୋକ ରହିବାକୁ ଘର ଏବଂ ଖାଇବାକୁ ଖାଦ୍ୟ ପାଇପାରିଥିଲେ।

ସୂଚନା ମୁତାବକ, ୧୯୨୪ ବନ୍ୟା ସମୟରେ ମହାତ୍ମା ଗାନ୍ଧୀ ନିଜ ଖବରକାଗଜ ‘ୟଙ୍ଗ୍‌ ଇଣ୍ଡିଆ’ ଏବଂ ‘ନବଜୀବନ’ରେ କେରଳ ବନ୍ୟା ସଂପର୍କରେ ଖବର ଛାପି ଦେଶବାସୀଙ୍କୁ କେରଳ ପାଇଁ ସହାୟତାର ହାତ ବଢ଼ାଇବାକୁ କହିଥିଲେ। ତାଙ୍କ ଲେଖାରେ ପ୍ରଭାବିତ ହୋଇ ଲୋକମାନେ ମୁକ୍ତ ହସ୍ତରେ ଦାନ କରିବାକୁ ଆଗେଇ ଆସିଥିଲେ। ଏମିତି କି ମହିଳାମାନେ ସେମାନଙ୍କ ଗହଣା ବିକ୍ରି କରି ଟଙ୍କା ପଠାଇଥିଲେ। ରାଷ୍ଟ୍ରର କିଛି ପିଲା ମଧ୍ୟ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ଆଉ କିଛି ଲୋକ କେରଳ ପାଇଁ ଦାନ କରିବା ଉଦ୍ଦେଶ୍ୟରେ ଗୋଟିଏ ଦିନ ଉପାସ ରହିଥିଲେ। ଅନ୍ୟ କିଛି ଲୋକ କ୍ଷୀର ବିକ୍ରି କରି ରିଲିଫ ପାଣ୍ଠିକୁ ଦାନ କରିଥିଲେ। ସମଗ୍ର ଦେଶ ଯେମିତି କେରଳ ପାଇଁ ଏକ୍‌ ହୋଇଯାଇଥିଲା। ଖାଲି ସେତିକି ନୁହେଁ, ମହାତ୍ମା ଗାନ୍ଧୀଙ୍କ ଲେଖାରେ ଜଣେ ଛୋଟ ଝିଅ ଏତେମାତ୍ରାରେ ପ୍ରଭାବିତ ହୋଇଥିଲା ଯେ ସେ ଚୋରାଇଥିବା ୩ ପଇସାକୁ ଶେଷରେ ଦାନ କରିବାକୁ ନିଷ୍ପତ୍ତି ନେଇଥିଲା। ଏ ସଂପର୍କିତ ଖବର ‘ନବଜୀବନ’ରେ ପ୍ରକାଶିତ ହୋଇଥିଲା। କେରଳରେ ୧୯୨୪ରେ ଆସିଥିବା ବନ୍ୟାକୁ ମହାପ୍ରଳୟ ନାମରେ ନାମିତ କରାଯାଇଥିଲା। ଏହାକୁ ଏବେ ବି ‘ଗ୍ରେଟ୍‌ ଫ୍ଲଡ୍‌ ଅଫ୍‌ ୯୯’ ବୋଲି ମଧ୍ୟ ଅଭିହିତ କରାଯାଉଛି। ଗାନ୍ଧିଜୀଙ୍କ ଏଭଳି ଉଦ୍ୟମ ସେବା ଓ ସହାୟତା କ୍ଷେତ୍ରରେ ସର୍ବଦା ମାଇଲଖୁଣ୍ଟ ହୋଇ ରହିବ।

ସମ୍ବନ୍ଧିତ ଖବର