୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ହିରୋ ବ୍ରିଗେଡିୟର୍‌ ଚାନ୍ଦପୁରୀଙ୍କ ଦେହାନ୍ତ

ଚଣ୍ଡିଗଡ଼: ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ବ୍ରିଗେଡିୟର୍‌ କୁଳଦୀପ ସିଂହ ଚାନ୍ଦପୁରୀ ଶନିବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସୌର୍ଯ୍ୟ ସମ୍ମାନ ‘ମହାବୀର ଚକ୍ର’ ମଣ୍ଡିତ ୭୮ ବର୍ଷିୟ କୁଳଦୀପ ମୋହାଲିର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥାଇ ସକାଳ ୮: ୩୦ରେ ମୃତ୍ୟୁ ବରଣ କରିଛନ୍ତି।

ତାଙ୍କର ଅନ୍ୟ ଜଣେ ପୁଅ ଜର୍ମାନିରୁ ଫେରିବା ପରେ ଅନ୍ତ୍ୟେଷ୍ଟିକ୍ରିୟା କରାଯିବ ବୋଲି ତାଙ୍କ ପୁଅ ହରଦୀପ ସିଂହ ଚାନ୍ଦପୁରୀ କହିଛନ୍ତି।

୧୯୭୧ ମସିହା ଡିସେମ୍ବର ୫ ଓ ୬ ତାରିଖ ରାତିରେ ପାକିସ୍ତାନ ଲଙ୍ଗେଓ୍ଵାଲା ଓ ରାମଗଡ଼ ଦଖଲ କରିବା ଉଦ୍ଦେଶ୍ୟରେ ଟି-୫୯ ରେଜିମେଣ୍ଟ୍‌ ଏବଂ ଶେର୍‌ମାନ୍‌ ଟ୍ୟାଙ୍କ୍‌ ସହାୟତାରେ ୫୧ ଇନ୍‌ଫାଣ୍ଟ୍ରି ବ୍ରିଗେଡ୍‌ ଉପରେ ଜୋର୍‌ଦାର୍‌ ଆକ୍ରମଣ କରିଥିଲା। ୨୩ ପଞ୍ଜାବର ‘ଏ’ କମ୍ପାନିର ନେତୃତ୍ୱ ନେଉଥିବା ସେତେବେଳକାର ମେଜର ଚାନ୍ଦପୁରୀ ଅଳ୍ପ ସନ୍ୟ ସତ୍ତ୍ୱେ ମୁକାବିଲା କରି ରାତି ସାରା ବହୁ ଆକ୍ରମଣକୁ ପ୍ରତିହତ କରିଥିଲେ। ତହିଁ ଆର ଦିନ ପ୍ରତ୍ୟୁଷରେ ଭାରତୀୟ ବାୟୁସେନା ଶତ୍ରୁପକ୍ଷର ଟ୍ୟାଙ୍କ୍‌ଗୁଡ଼ିକୁ ନଷ୍ଟ କରି ଦେଇଥିଲା।

ଜେପି ଦତ୍ତଙ୍କ ଚଳଚ୍ଚିତ୍ର ‘ବର୍ଡର୍‌’ ଲଙ୍ଗେଓ୍ଵାଲା ଯୁଦ୍ଧର ସତ୍ୟ ଘଟନା ଉପରେ ଆଧାରିତ। ଅଭିନେତା ସନ୍ନି ଦେଓଲ୍‌ ଏଥିରେ ବ୍ରିଗେଡିୟର୍‌ ଚାନ୍ଦପୁରୀଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

ସମ୍ବନ୍ଧିତ ଖବର