୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା : ଜଣଙ୍କୁ ଫାଶୀ, ଆଉ ଜଣଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ: ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗାର ଏକ ମାମଲାରେ ଆଜି ଅଦାଲତ ୩୪ ବର୍ଷ ପରେ ଜଣେ ଦୋଷୀକୁ ମୃତୁ ଦଣ୍ଡାଦେଶ ଶୁଣାଇଛନ୍ତି। ଆଜି ଦିଲ୍ଲୀର ଏକ ଅଦାଲତ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ହତ୍ୟା ଅଭିଯୁକ୍ତ ନରେଶ ସହରାବତଙ୍କୁ ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଯଶପାଲ ସିଂହଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି। ଗତ ସପ୍ତାହରେ ଅଦାଲତ ଏହି ମାମଲାରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଗୃହ ମନ୍ତ୍ରାଳୟ ୧୯୮୪ ଦଙ୍ଗା ସହିତ ସଂପୃକ୍ତ ସମସ୍ତ ଗୁରୁତ୍ବପୂର୍ଣ୍ଣ ମାମଲାର ତଦନ୍ତ ପାଇଁ ୨୦୧୫ରେ ଏସ୍‌ଆଇଟି ଗଠନ କରିଥିଲେ। ଏହା ପରେ ଆଜି ଏହି ମାମଲାର ପ୍ରଥମ ଦଣ୍ଡାଦେଶ ଘୋଷଣା ହୋଇଛି। ଦଣ୍ଡାଦେଶ ଶୁଣାଣି ବେଳେ ପୀଡ଼ିତ ପକ୍ଷଙ୍କ ଓକିଲ ଉଭୟ ଦୋଷୀଙ୍କ ପାଇଁ ଫାଶୀ ଦଣ୍ଡ ଦାବି କରିଥିଲେ।
କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏସ୍‌ଆଇଟି ଗତ ସପ୍ତାହରେ ଅତିରିକ୍ତ ସେସନ୍ସ ଜଜ୍‌ ଅଜୟ ପାଣ୍ଡେଙ୍କ ସମ୍ମୁଖରେ ଦଣ୍ଡ ଉପରେ ଶୁଣାଣି ବେଳେ ଯୁକ୍ତି ଦର୍ଶାଇ କହିଥିଲେ ଯେ ଦୋଷୀମାନଙ୍କ ଅପରାଧ ଅତ୍ୟନ୍ତ ବର୍ବର ଓ ଘୃଣ୍ୟ ଥିଲା ଏବଂ ସେମାନେ ଏହି କାଣ୍ଡ ଅତି ସହଜରେ ଘଟାଇଥିଲେ। ତେଣୁ ହତ୍ୟା ଅପରାଧ ମାମଲାରେ ସେମାନଙ୍କୁ ସର୍ବାଧିକ ଦଣ୍ଡ ସ୍ବରୂପ ଫାଶୀ ଦେବା ହିଁ ନ୍ୟାୟୋଚିତ ହେବ ବୋଲି ଏସ୍‌ଆଇଟି ପକ୍ଷରୁ ଯୁକ୍ତି କରାଯାଇଥିଲା। ଏସ୍‌ଆଇଟିର ଯୁକ୍ତିକୁ ପୀଡ଼ିତ ପକ୍ଷଙ୍କ ଓକିଲ ଏଚ୍‌ଏସ୍‌ ଶୁକ୍ଳା ସମର୍ଥନ କରି କହିଥିଲେ ଯେ ଅଦାଲତଙ୍କ ରାୟ ଉପରେ କେବଳ ଦଙ୍ଗା ପୀଡ଼ିତ ନୁହନ୍ତି, ସମଗ୍ର ବିଶ୍ବର ନଜର ରହିଛି। ସୂଚନାଯୋଗ୍ୟ, ଏହି ମାମଲା ହରଦେବ ସିଂହଙ୍କ ପରିବାର ସଦସ୍ୟ ରୁଜୁ କରିଥିଲେ। ଦିଲ୍ଲୀ ପୁଲିସ ପ୍ରମାଣ ଅଭାବରୁ ୧୯୯୪ରେ ଏହି ମାମଲା ବନ୍ଦ କରିଦେଇଥିଲା। ତେବେ ଏସ୍‌ଆଇଟି ଗଠନ ପରେ ମାମଲା ପୁଣି ଖୋଲିଥିଲା ଏବଂ ଆଜି ପ୍ରଥମ ମୃତ୍ୟୁ ଦଣ୍ଡ ଘୋଷଣା ହୋଇଛି।

ସମ୍ବନ୍ଧିତ ଖବର