ଆସାମ ପୁଲିସର ଅମାନବୀୟ କାଣ୍ଡ : ୩ ଭଉଣୀଙ୍କୁ ଫାଣ୍ଡିରେ ଉଲଗ୍ନ କରି ନିର୍ଯାତନା, ପୁଲିସ ମାଡ଼ରେ ମହିଳାଙ୍କ ଗର୍ଭନଷ୍ଟ, ୨ପୁଲିସ ନିଲମ୍ବିତ, ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଗୌହାଟି : ଆସାମ ପୁଲିସର ଏକ ଅମାନବୀୟ କାଣ୍ଡ ଏବେ ଲୋକଲୋଚନକୁ ଆସିଛି। ଆସାମର ଦରଙ୍ଗ ଜିଲ୍ଲା ଅଧୀନସ୍ଥ ଏକ ପୁଲିସ ଫାଣ୍ଡିରେ ୩ ଜଣ ମହିଳା (ତିନି ଭଉଣୀ)ଙ୍କୁ ପୁଲିସ ଉଲଗ୍ନ କରି ନିର୍ଯାତନା ଦେଇଛି। ଏକ ଅପହରଣ ମାମଲାରେ ପୁଲିସ ୩ ଭଉଣୀଙ୍କୁ ଗତ ୮ ତ‌ାରିଖରେ ଜେରା ପାଇଁ ବୁର୍‌ହା ପୁଲିସ ଫାଣ୍ଡିକୁ ନେଇଥିଲା। କିନ୍ତୁ ସେଠାରେ ‌ଜେରା ସମୟରେ ପୁଲିସ ସେମାନଙ୍କୁ ଉଲଗ୍ନ କରି ଅମାନୁଷିକ ନିର୍ଯାତନା ଦେଇଥିଲା। ଏହି ୩ ଭଉଣୀଙ୍କ ମଧ୍ୟରୁ ଜଣେ ଗର୍ଭବତୀ ଥିବାବେଳେ ପୁଲିସ ମାଡ଼ରେ ତାଙ୍କ ଗର୍ଭ ନଷ୍ଟ ହୋଇଯାଇଛି। ୩ ଭଉଣୀ ଗତ ୧୦ ତାରିଖରେ ଏହି ଘଟଣା ନେଇ ଦରଙ୍ଗ ଜିଲ୍ଲା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଶେଷରେ ସେମାନେ ଗଣମାଧ୍ୟମରେ ସବୁକଥା ପ୍ରକାଶ କଲେ। ଏବେ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଫାଣ୍ଡି ଏସ୍‌ଆଇ ମହେନ୍ଦ୍ର ଶର୍ମା ଏବଂ କନେଷ୍ଟବଳ ବିନିତା ରାଓ ନିଲମ୍ବିତ ହୋଇଛନ୍ତି। ଆସାମ ଡିଜିପି କୁଳଧର ସାଇକିଆ ଉକ୍ତ ଘଟଣାରେ ଦରଙ୍ଗ୍‌ ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାନୁଯାୟୀ, ଏହି ୩ ଭଉଣୀଙ୍କ ଭାଇ ନିକଟରେ ଜଣେ ମହିଳାଙ୍କ ସହ ଘର ଛାଡ଼ି କୁଆଡ଼େ ପଳାଇଛନ୍ତି। ଏନେଇ ସମ୍ପୃକ୍ତ ମହିଳାଙ୍କ ପରିବାର ସଦସ୍ୟ ତାଙ୍କ ବିରୋଧରେ ଅପହରଣ ମାମଲା ରୁଜୁ କରିଥିଲେ। ତେବେ ପୁଲିସ ଏହି ମାମଲାରେ ୩ ଭଉଣୀଙ୍କୁ ଜେରା ପାଇଁ ଫାଣ୍ଡିକୁ ନେଇଥିଲା। ବଳପୂର୍ବକ ସେମାନଙ୍କ ପାଖରୁ ଜାଣିବାକୁ ଚେଷ୍ଟା କରିଥିଲା ଯେ ତାଙ୍କ ଭାଇ କେଉଁଠାରେ ଅଛନ୍ତି। କିନ୍ତୁ ୩ ଭଉଣୀ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିବାପ‌ରେ ପୁଲିସ ସେମାନଙ୍କୁ ଉଲଗ୍ନ କରି ନିର୍ଯାତନା ଦେଇଥିଲା। ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍‌ ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର