ମୃତଦେହରେ ଲାଗିଗଲେ ପିମ୍ପୁଡି, ନିଲମ୍ବିତ ହେଲେ ୨ ଡାକ୍ତର

ଶିବପୁରୀ: ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି | ଶିବପୁରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ରବିବାର ଦିନ ବାଳଚନ୍ଦ୍ର ଲୋଧି ନାମକ ବ୍ୟକ୍ତି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ | ତେବେ ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ଏହାପରେ ବି ତାଙ୍କ ପରିବାର ବର୍ଗଙ୍କୁ ଏ ବାବଦରେ ସୂଚନା ଦିଆଯାଇନଥିଲା |

ଯାହାଫଳରେ ତାଙ୍କ ମୃତ ଦେହରେ ପିମ୍ପୁଡି ଲାଗିଯାଇଥିଲେ | ଏହି ଘଟଣାକୁ ନେଇ ଚର୍ଚ୍ଚା ହେବା ପରେ ଦାୟିତ୍ୱରେ ଅବହେଳା ଅଭିଯୋଗରେ ୨ ଜଣ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି | ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଖୋଦ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଟ୍ୱିଟରରେ କ୍ଷୋଭ ପ୍ରକାଶ କରିଥିଲେ |

ଏଭଳି ଘଟଣା ସମ୍ପୂର୍ଣ୍ଣ ଭାବେ ଅସମ୍ବେଦନଶୀଳ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ | ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ | ଯାହାକୁ ନେଇ ଜିଲ୍ଲାପାଳ ଦୁଇ ଜଣ ଡାକ୍ତରଙ୍କ ସହ ତିନି ଜଣ ନର୍ସଙ୍କୁ ନିଲମ୍ବିତ କରିଛନ୍ତି |

ସମ୍ବନ୍ଧିତ ଖବର