କୋଲକାତା ଏୟାରପୋର୍ଟରେ ଦୁଇ ଯାତ୍ରୀଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ

କୋଲକାତା : କୋଲକତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ ବେଳେ ଦୁଇଜଣ ବ୍ୟକ୍ତିଙ୍କ ଶରୀରରେ କରୋନା ଭାଇରସ ଚିହ୍ନଟ ହୋଇଛି । ସେମାନେ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକରୁ ଭାରତ ଆସିଥିଲେ । ଏ ସଂପର୍କରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

କରୋନା ଭାଇରସ ପଜିଟିଭ ଚିହ୍ନଟ ହୋଇଥିବା ଦୁଇଜଣ ବ୍ୟକ୍ତି ହେଲେ ହିମାଦ୍ରି ବର୍ମନ ଓ ନଗେନ୍ଦ୍ର ସିଂ । ହିମାଦ୍ରିଙ୍କଠାରେ ମଙ୍ଗଳବାର ଓ ନଗେନ୍ଦ୍ରଙ୍କଠାରେ ବୁଧବାରଦିନ କରୋନା ଭାଇରସ ଚିହ୍ନଟ ହୋଇଛି । ସେମାନଙ୍କୁ ବେଲିଆଘାଟ ଏୟାରପୋର୍ଟକୁ ପଠାଇଦିଆଯାଇଛି ବୋଲି ଏୟାରପୋର୍ଟର ନିର୍ଦ୍ଦେଶକ କୌଶିକ ଭଟ୍ଟାଚାର୍ଯ୍ୟ କହିଛନ୍ତି । ଏହି ଦୁଇଜଣଙ୍କୁ ମିଶାଇ କୋଲକାତାରେ ମୋଟ ୩ ଜଣଙ୍କ ଠାରେ ଏହି ଭୁତାଣୁ ଚିହ୍ନଟ ହୋଇଛି । ପୂର୍ବରୁ ଅନୀତା ଓରାଁ ନାମକ ମହିଳାଙ୍କଠାରେ କରୋନା ଭାଇରସ ଚିହ୍ନଟ ହୋଇଥିଲା ।

ଅନ୍ୟପକ୍ଷରେ କରୋନା ଭାଇରସ ବ୍ୟାପିବା ଭୟରେ କୋଲକାତାରୁ ଚୀନ ଚାଲୁଥିବା ଦୁଇଟି ପ୍ରତ୍ୟକ୍ଷ ଫ୍ଲାଇଟକୁ ବାତିଲ କରିଦିଆଯାଇଛି । ତେବେ ବ୍ୟାଙ୍କକ୍‌, ହଂକଂ ଓ ସିଂଗାପୁରରୁ ଆସୁଥିବା ଫ୍ଲାଇଟ୍‌ଗୁଡ଼ିକର ଯାତ୍ରୀମାନଙ୍କୁ ଯାଞ୍ଚ କରାଯାଉଛି ।

ସୂଚନାଯୋଗ୍ୟ ଯେ ଚୀନର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ଚୀନ ସମେତ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି । କେବଳ ଚୀନରେ ଏହି ଭାଇରସରେ ସଂକ୍ରମିତ ହୋଇ ୧୩୫୦ରୁ ଅଧିକ ଲୋକ ପ୍ରାଣ ହରେଇସାରିଲେଣି । ଏବେ ପ୍ରାୟ ୨୬ ଟି ଦେଶକୁ ଏହା ବ୍ୟାପିସାରିଲାଣି ବୋଲି ଜଣାଯାଇଛି । ଉହାନରେ ଥିବା ଏକ ପଶୁମାଂସ ବଜାରରେ ଏହି ଭୁତାଣୁ ମନୁଷ୍ୟ ଶରୀରକୁ ଆସିଥିବା ସଂଦେହ କରାଯାଉଛି ।

ସମ୍ବନ୍ଧିତ ଖବର