ହତ୍ୟା ଅପରାଧ, ସାଉଦି ଆରବରେ ୨ ଭାରତୀୟଙ୍କ ମୁଣ୍ଡକାଟ

ଚଣ୍ଡୀଗଡ଼: ସାଉଦି ଆରବରେ ହତ୍ୟା ଅପରାଧରେ ୨ ଜଣ ଭାରତୀୟଙ୍କ ମୁଣ୍ଡ କାଟ୍ କରାଯାଇଛି। ତେବେ ଏହି ଘଟଣା ବିଷୟରେ ଭାରତର ରାଷ୍ଟ୍ରଦୂତଙ୍କୁ ସାଉଦି ଆରବ ସୂଚନା ଦେଇନଥିବା ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଫେବୃଆରୀ ୨୮ରେ ହତ୍ୟା ଅପରାଧରେ ଏହି ଦୁଇ ଭାରତୀୟଙ୍କ ମୁଣ୍ଡକାଟ କରାଯାଇଥିଲେ ମଧ୍ୟ ଘଟଣା ଏବେ ସାମ୍ନାକୁ ଆସିଛି। ବିଡମ୍ବନାର ବିଷୟ, ସାଉଦି ଆରବ ନିୟମ ଅନୁଯାୟୀ ପରିବାରକୁ ମୃତକଙ୍କ ଶବ ଦିଆଯିବ ନାହିଁ। ସୂଚନା ଅନୁଯାୟୀ, ପଞ୍ଜବା ହୋସିଆରପୁରର ସତବିନ୍ଦର କୁମାର ଏବଂ ଲୁଧିଆନାର ହରଜିତ ସିଂହ ସାଉଦି ଆରବ ଯାଇଥିଲେ। ସେଠାରେ ଏହି ଦୁଇ ଜଣଙ୍କ ଇମାମୁଦ୍ଦିନ ନାମକ ବ୍ୟକ୍ତି ସହ ଝଗଡା ହୋଇଥିଲା। ଲୁଟ ଟଙ୍କା ଭଗବାଣ୍ଟାକୁ ନେଇ ହୋଇଥିବା ଏହି ଝଗଡ଼ାରେ ସତବିନ୍ଦର ଏବଂ ହରଜିତ ଇମାମୁଦ୍ଦିନକୁ ହତ୍ୟା କରିଥିଲେ। ଏହି ହତ୍ୟା ମାମଲାରେ ଦୁହିଁଙ୍କୁ ୨୦୧୫ ଡିସେମ୍ବର ୯ରେ ଗିରଫ କରାଯାଇଥିଲା। ସେମାନଙ୍କୁ ରିୟାଧ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଦୁଇ ଅଭିଯୁକ୍ତ ନିଜ ଦୋଷ ସ୍ୱୀକାର କରିଥିଲେ। ଉକ୍ତ ମାମଲାର ବିଚାର ବେଳେ ୨୦୧୭ ମେ ୩୧ରେ ଭାରତୀୟ ଦୂତାବାସର ଜଣେ ଅଧିକାରୀ ଉପସ୍ଥିତ ଥିଲେ। ଇତିମଧ୍ୟରେ, ସତବିନ୍ଦରଙ୍କ ସ୍ତ୍ରୀ ସୀମା ରାଣୀ ବୈଦେଶିକ ମନ୍ତ୍ରାଳୟରେ ଆବେଦନ କରି ତାଙ୍କ ସ୍ବାମୀଙ୍କ ବିଷୟରେ ତଥ୍ୟ ମାଗିଥିଲେ। ଏହାର ଜବାବରେ ସୀମା ରାଣୀଙ୍କୁ ଏକ ଚିଠି ଜରିଆରେ ଜଣାଇ ଦିଆଜାଇଛି, ୨୦୧୯ ଫେବୃଆରୀ ୨୮ରେ ସତବିନ୍ଦର ଏବଂ ହରଜିତଙ୍କ ମୁଣ୍ଡକାଟ କରାଯାଇଛି। ସାଉଦି ଆରବର ବୈଦେଶିକ ମନ୍ତ୍ରାଳୟକୁ ବାରମ୍ବାର ଅନୁରୋଧ କରାଯାଇଛି ଶବକୁ ହସ୍ତାନ୍ତର କରିବା ପାଇଁ। କିନ୍ତୁ ସେଠାର ନିୟମ ଅନୁଯାୟୀ ସାଉଦି ଆରବ ଶବକୁ ହସ୍ତାନ୍ତର କରିପାରିବନହିଁ ବୋଲି ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜଣାଇଦିଆଯାଇଛି।

ସମ୍ବନ୍ଧିତ ଖବର