ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ୨ ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ଜାତୀୟ ରାଜଧାନୀରେ ଆତଙ୍କ ଆକ୍ରମଣ କରିବାକୁ ଯୋଜନା କରୁଥିବା ‘ଜୈସ୍‌-ଏ-ମହମ୍ମଦ’ର ୨ ଜଣ ଆତଙ୍କବାଦୀ ଗିରଫ କରାଯାଇଥିବା କଥା ଗୁରୁବାର ଦିନ ଦିଲ୍ଲୀ ପୁଲିସ ଅଧିକାରୀମାନେ କହିଛନ୍ତି।

ସେମାନେ ହେଲେ ୨୯ ବର୍ଷିୟ ଅବ୍ଦୁଲ ଲତିଫ୍‌ ଗନି ଓରଫ ଉମୈର୍‌ ଓରଫ୍‌ ଦିଲ୍‌ଓ୍ଵାର୍‌ ଏବଂ ୨୬ ବର୍ଷିୟ ହିଲାଲ୍‌ ଅହମଦ ଭଟ। ଉଭୟ ଯଥାକ୍ରମେ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଓ୍ଵାକୁରା ଓ ବଟପଡ଼ା ଅଞ୍ଚଳର ବାସିନ୍ଦା

ଲକ୍ଷ୍ମୀ ନଗର ଠାରେ ଥିବା ଗୋଟିଏ ଘରକୁ ସନ୍ଦିଗ୍ଧ ଲୋକମାନେ ବରାବର ଯାତାୟାତ କରୁଥିବା କଥା ସାମରିକ ଗୁଇନ୍ଦାଙ୍କ ଠାରୁ ସୂଚନା ପାଇବା ପରେ ଦିଲ୍‌ଓ୍ଵାର୍‌ଙ୍କୁ ଜାନୁଆରି ୨୦-୨୧ ରାତିରେ ଗିରଫ କରାଯାଇଥିଲା ବୋଲି ପୁଲିସ ଡେପୁଟି କମିସନର ପିଏସ୍‌ ଖୁସ୍‌ଓ୍ଵାହ କହିଛନ୍ତି।

ସେ ରାଜଘାଟରେ କାହାକୁ ଭେଟିବାକୁ ଯାଇଥିବା ବେଳେ ପୁଲିସ ଦ୍ୱାରା ଗିରଫ ହୋଇଥିଲା। ତା’ ପାଖରୁ ଗୋଟିଏ ୩୨ ବୋର୍‌ ପିସ୍ତଲ୍‌ ଏବଂ ୨୬ଟି ଅବ୍ୟବହୃତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରି ଜବତ କରାଯାଇଥିଲା।

ତା’ର ଅନ୍ୟାନ୍ୟ ସହଯୋଗୀ ଭଟଙ୍କୁ ଧରିବାକୁ ପୁଲିସର ଏକ ଦଳ ତୁରନ୍ତ ଜମ୍ମୁ ଓ କଶ୍ମୀର ଯାଇଥିଲା। ସେଠାରେ ଗୋଟିଏ ଘରୁ ୨ଟି ହାତଫିଙ୍ଗା ଗ୍ରେନେଡ୍‌ ଉଦ୍ଧାର କରିଥିଲା। ଆତଙ୍କ ଆକ୍ରମଣ ନିମନ୍ତେ ପୂର୍ବରୁ ସେ ଦିଲ୍ଲୀ ବିଭିନ୍ନ ଅଞ୍ଚଳ ସର୍ବେକ୍ଷଣ କରିଥିଲା। ସେମାନେ ଜୈସ୍‌-ଏ-ମହମ୍ମଦର ସଦସ୍ୟ ବୋଲି ପଚରା ଉଚୁରା ବେଳେ କହିଥିଲେ।

 

ସମ୍ବନ୍ଧିତ ଖବର