କଶ୍ମୀରର ବଡ୍‌ଗାମ୍‌ ଠାରେ ଏନ୍‌କାଉଣ୍ଟର୍‌: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: କେନ୍ଦ୍ରୀୟ କଶ୍ମୀରର ବଡ୍‌ଗାମ୍‌ ଠରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ଅନ୍ୟୂନ ଦୁଇଜଣ ଆତଙ୍କବାଦୀ ନିହତ ହୋଇଥିବା କଥା ବୁଧବାର ଦିନ ପୁଲିସ କହିଛି। ଆଠଜଣ ଆତଙ୍କବାଦୀଙ୍କୁ ଲକ୍ଷ୍ୟକରି ଚାଲିଥିବା ଆକ୍ରମଣର ତୃତୀୟ ଦିନର ତୃତୀୟ ଏନ୍‌କାଉଣ୍ଟର୍‌ରେ ସେମାନେ ମରିଛନ୍ତି।

ନିହତ ଆତଙ୍କବାଦୀଙ୍କର ପରିଚୟ ଓ ସଙ୍ଗଠନ ଜଣାପଡ଼ି ନ ଥିବା କଥା ଅଧିକାରୀମାନେ କହିଛନ୍ତି।

ବଡ୍‌ଗାମ୍‌ର ଚଦୂରା ଅନ୍ତର୍ଗତ ଗୋପାଲପୋରାରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା ଆଧାରରେ ରାଜ୍ୟ ପୁଲିସ ଓ ଭାରତୀୟ ସେନାବାହିନୀ ଦ୍ୱାରା ମଙ୍ଗଳବାର ବିଳମ୍ବିତ ରାତ୍ରୀରେ କର୍ଡନ୍‌ ଓ ସର୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା।

ତଲାସ ଅଭିଯାନ ଚାଲିଥିବା ସମୟରେ ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲେ। ଫଳରେ ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଉଭୟଙ୍କ ମଧ୍ୟରେ ବନ୍ଧୁକ ଲଢ଼େଇର ସୂତ୍ରପାତ ହୋଇଥିଲା।

ଚାଲିଥିବା ଏନ୍‌କାଉଣ୍ଟର୍‌ସ୍ଥଳରୁ ମୃତ ଦୁଇ ଆତଙ୍କବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ସେଠାରୁ କିଛି ଅସ୍ତ୍ରଶସ୍ତ୍ର ମଧ୍ୟ ଉଦ୍ଧାର କରାଯାଇଛି।

ସମ୍ବନ୍ଧିତ ଖବର