ମୁଜାଫରନଗର: ଗୋହତ୍ୟା ଅଭିଯୋଗରେ ଦୁଇ ନାବାଳିକାଙ୍କୁ ଜେଲ୍‌ ପଠାଇଲା ପୁଲିସ

ମୁଜାଫରନଗର: ଗୋହତ୍ୟା ଅଭିଯୋଗରେ ଶନିବାର ଦିନ ମୁଜାଫରନଗର ପୁଲିସ ଦୁଇଜଣ ନାବାଳିକାଙ୍କୁ ଗିରଫ କରି ଜେଲ୍‌କୁ ପଠାଇ ଦେଇଛି। ଦୁଇ ନାବାଳିକାଙ୍କ ବୟସ ଯଥାକ୍ରମେ ୧୨ ଏବଂ ୧୬। ସେମାନଙ୍କ ସହ ତାଙ୍କର ମାଆ ଏବଂ ଅନ୍ୟ ଛଅ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଅଦାଲତରେ ଦୁଇ ନାବାଳିକାଙ୍କୁ ପ୍ରାପ୍ତବୟସ୍କା ଭାବେ ଦର୍ଶାଯାଇଥିଲା। କିନ୍ତୁ ନାବାଳକମାନଙ୍କୁ ଶୁଧାର ଗୃହକୁ ପଠାଯିବାର ନିୟମ ରହିଛି। ଦୁଇ ଝିଅଙ୍କ ଆଧାର କାର୍ଡରେ ସେମାନଙ୍କ ଜନ୍ମ ବର୍ଷ ୨୦୦୧ ଏବଂ ୨୦୦୫ ବୋଲି ଉଲ୍ଲେଖ କରାଯାଇଛି।

ଗୋହତ୍ୟା ଅଭିଯୋଗରେ ଶୁକ୍ରବାର ସକାଳେ ଖତାଉଲି ପୁଲିସ ନଅ ଜଣ ଲୋକଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଥିଲେ ଦୁଇ ଜଣ ଝିଅ ଓ ତିନି ଜଣ ମହିଳା। ଗୋଟିଏ ଘରୁ ୧୦ କୁଇଣ୍ଟାଲ୍‌ ମାଂସ ଏବଂ କଂସେଇ ଉପକରଣ ଜବତ କରିଥିବା କଥା ପୁଲିସ କହିଛି। ଅଭିଯୁକ୍ତମାନଙ୍କ ମଧ୍ୟରୁ ଚାରି ଜଣ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା କଥା ପୁଲିସ କହୁଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ଅନ୍ୟ ଦୁଇ ଜଣ ମହିଳା।

ପରେ ସେ ଦିନ ସନ୍ଧ୍ୟାରେ ନଅ ଜଣ ଅଭିଯୁକ୍ତଙ୍କୁ ପ୍ରାପ୍ତବୟସ୍କ ଦର୍ଶାଇ ପୁଲିସ ସ୍ଥାନୀୟ ଅଦାଲତରେ ହାଜର କରାଇଥିଲା। ଅଦାଲତ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ଆଇନ ଅନୁସାରେ, ନାବାଳକମାନଙ୍କୁ ହାତକଡ଼ି ପକାଯାଏ ନାହିଁ କି, ଜେଲ୍‌କୁ ପଠାଯାଏ ନାହିଁ। ସେମାନଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବା ପରେ ଶୁଧାର ଗୃହକୁ ପଠାଯାଏ।

ଫେରାର ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ଝିଅମାନଙ୍କ ବାପା ନସିମୁଦ୍ଦିନ।

ସେମାନଙ୍କ ଗିରଫଦାରି ପରେ ବହୁ ସଂଖ୍ୟକ ସ୍ଥାନୀୟ ଲୋକେ ଏକତ୍ର ହୋଇ ପ୍ରତିବାଦ ଆରମ୍ଭ କରିଥିଲେ। ଜଣେ ପ୍ରତିବାଦକାରୀ କହିଥିଲେ: ପୁଲିସ କାହିଁକି ନସିମୁଦ୍ଦିନର ପତ୍ନୀ ଓ ପିଲାମାନଙ୍କୁ ଗିରଫ କରିଛି?

Image Courtesy of Jansata

ଏସ୍‌ଏସ୍‌ପି ଅଜୟ ସହଦେବ କହନ୍ତି: ତଦନ୍ତ ପାଇଁ ଖାତାଉଲି ସର୍କଲ୍‌ ଅଧିକାରୀଙ୍କୁ ଆଦେଶ ଦିଆଯାଇଛି। ସେ ମାମଲାର ଅନୁସନ୍ଧାନ କରିବେ। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କିନ୍ତୁ, ଦୁଇ ନାବାଳିକାଙ୍କ ପ୍ରସଙ୍ଗରେ ସେ କିଛି କହି ନାହାନ୍ତି।

ଖାତଉଲି ଥାନାର ଭାରପ୍ରାପ୍ତ ଅଧିକାରୀ କହନ୍ତି: ଗିରଫ ବ୍ୟକ୍ତିମାନେ ଗୋହତ୍ୟାରେ ସମ୍ପୃକ୍ତ ଥିଲେ। ନସିମୁଦ୍ଦିନଙ୍କ ନାଁରେ ପୂର୍ବରୁ ବହୁ ଗୋହତ୍ୟା ମାମଲା ରହିଛି। ଘଟଣାସ୍ଥଳରୁ ଆମେ ମାଂସ ଏବଂ ୫ଟି ଗୋରୁ ଚମଡ଼ା ଉଦ୍ଧାର କରିଛୁ।
କିନ୍ତୁ, ଦୁଇ ନାବାଳିକାଙ୍କୁ କାହିଁକି ଜେଲ୍‌ ପଠାଗଲା ବୋଲି ପ୍ରତିବାଦକାରୀମାନେ ଶନିବାର ଦିନ ମୁଜାଫରନଗର ପୁଲିସ ମୁଖ୍ୟଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର