ଚୀନର ଚକ୍ରାନ୍ତ ହେବ ପଣ୍ଡ : ଭାରତ-ଆମେରିକା ମଧ୍ୟରେ ଆଉ ୨ଟି ହଟଲାଇନ ପ୍ରତିଷ୍ଠା ହେବ

ନୂଆଦିଲ୍ଲୀ : ସମଗ୍ର ବିଶ୍ୱରେ ଆଧିପତ୍ୟ ବିସ୍ତାର ପାଇଁ ଚୀନ ଓ ଋଷିଆ ହାତ ମିଳାଇଥିବା ବେଳେ ତାହା ସୁପରପାଓ୍ଵାର ଆମେରିକା ପାଇଁ ଚିନ୍ତାର କାରଣ ହୋଇଛି । ସେହିପରି ଦକ୍ଷିଣ ଏସିଆରେ ଭାରତର ଆଧିପତ୍ୟ କମାଇବା ପାଇଁ ଚୀନ ଓ ପାକିସ୍ତାନର ମେଣ୍ଟ ଭାରତ ପାଇଁ ଚିନ୍ତା ବଢାଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ଭାରତକୁ ନିଜର ପ୍ରମୁଖ ସାମରିକ ସହଯୋଗୀ ଭାବେ ପ୍ରସ୍ତୁତ କରୁଛି । ଏଥିପାଇଁ ଉଭୟ ଦେଶ ମଧ୍ୟରେ ଆସନ୍ତା ସେପ୍ଟେମ୍ବର ୬ ତାରିଖରେ ୨+୨ ବୈଠକ ଅନୁଷ୍ଠିତ ହେବ । ଏଥିପାଇଁ ଭାରତ ଗ୍ରସ୍ତରେ ଆସୁଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସ ଓ ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓ । ଏହି ଅବସରରେ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ । ମିଳିଥିବା ସୂଚନା ଅନୁସାରେ ଭାରତ ଓ ଆମେରିକା ମଧ୍ୟରେ ୨ଟି ହଟଲାଇନ ପ୍ରତିଷ୍ଠା କରାଯିବ । ପ୍ରଥମ ହଟଲାଇନଟି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ଆମେରିକାର ପରରାଷ୍ଟ୍ର ବିଭାଗ ସଚିବ ମାଇକ ପମ୍ପେଓ ଓ ୨ୟ ହଟଲାଇନଟି ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆମେରିକାର ପ୍ରତିରକ୍ଷା ସଚିବ ଜେମ୍ସ ମାଟିସଙ୍କ ମଧ୍ୟରେ ପ୍ରତିଷ୍ଠା କରାଯିବ ।

ସୂଚନାଯୋଗ୍ୟ ଯେ ଦୁଇଟି ରାଷ୍ଟ୍ର ମଧ୍ୟରେ ଜରୁରୀକାଳିନ ଯୋଗାଯୋଗ ପାଇଁ ହଟ୍‌ ଲାଇନ ଟେଲିଫୋନ ବ୍ୟବହାର କରାଯାଏ । ଯାହାକି ପୂର୍ବନିର୍ଦ୍ଧାରିତ ଉକ୍ତ ଅଧିକାରୀଙ୍କ ସହ ବିନା ବାଧାରେ ତୁରନ୍ତ ସଂପର୍କ କରାଇଥାଏ । ଭାରତ ଓ ପାକିସ୍ତାନ ବୈଦେଶିକ ସଚିବ ଓ ଡିଜିଏମଓ ସ୍ତରରେ ହଟଲାଇନ ସେବା ଗତ ୨୦୦୪ରୁ ରହିଛି । ସେହିପରି ଭାରତର ପ୍ରଧାନମନ୍ତ୍ରୀ ଓ ଆମେରିକା ରାଷ୍ଟ୍ରପତିଙ୍କ ମଧ୍ୟରେ ମଧ୍ୟ ହଟ୍‌ଲାଇନ ସେବା ରହିଛି ।

ସମ୍ବନ୍ଧିତ ଖବର