ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ, ୨ ଜବାନ ଆହତ

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀର ସ୍ଥିତି ନିୟନ୍ତ୍ରଣରେଖା ନିକଟରେ ଆତଙ୍କବାଦୀମାନେ ସେନାର ଏକ ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳିମାଡ କରିବା ଦ୍ୱାରା ଦୁଇଜଣ ଜବାନ ଆହତ ହୋଇଛନ୍ତି । ସେନା ପକ୍ଷରୁ ତୁରନ୍ତ ଏହାର ଦୃଢ ଜବାବ ଦିଆଯାଇଥିଲା ଓ ମିଳିଥିବା ସର୍ବଶେଷ ଖବର ପର୍ଯ୍ୟନ୍ତ ଏ ଅଂଚଳରେ ଅପରେସନ ଅବ୍ୟାହତ ରହିଛି ।

ପବିତ୍ର ରମଜାନ ମାସରେ ସରକାରଙ୍କ ପକ୍ଷରୁ ଅସ୍ତ୍ରବିରତି ଚାଲିଥିବା ବେଳେ ସ୍ଥିତିର ସମୀକ୍ଷା କରିବା ପାଇଁ ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ସକାଳେ ଶ୍ରୀନଗରରେ ପହଞ୍ଚିଛନ୍ତି । ଗୃହମନ୍ତ୍ରୀଙ୍କ କାଶ୍ମୀରଗ୍ରସ୍ତ ଦିନ ଆତଙ୍କବାଦୀମାନେ ଜାଣିଶୁଣି ଏହି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଛି । ରାଜନାଥ ରାଜ୍ୟସରକାର, ସେନା ଓ ଅର୍ଦ୍ଧସାମରିକ ବାହିନୀର ଅଧିକାରୀମାନଙ୍କ ସହ ଏକ ବୈଠକରେ ସ୍ଥିତିର ସମୀକ୍ଷା କରିବାର ସମ୍ଭାବନା ରହିଛି । ଏହା ସହିତ ସେ ପ୍ରକୃତ ଭାରତ-ପାକ ସୀମା ନିକଟକୁ ମଧ୍ୟ ଯାଇ ସ୍ଥିତିର ଆକଳନ କରିବେ । ଗତକାଲି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ସରକାର ରମଜାନ ଅସ୍ତ୍ରବିରତିକୁ ସମ୍ମାନ ଦିଅନ୍ତି । କିନ୍ତୁ ସୀମା ଆରପଟୁ କୌଣସି ଦୁଃସାହସିକ ପଦକ୍ଷେପର ଦୃଢ ଜବାବ ଦିଆଯିବ । କାରଣ ଆତଙ୍କବାଦ ଓ କଥାବାର୍ତ୍ତା ଏକା ସାଙ୍ଗରେ ହୋଇପାରିବ ନାହିଁ ।

ସମ୍ବନ୍ଧିତ ଖବର