ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବାରୁ ବିଚ୍‌ ରାସ୍ତାରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରି ନିଲମ୍ବିତ ହେଲେ ଦୁଇ ପୁଲିସକର୍ମୀ

ଲକ୍ଷ୍ନୌ : ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଏହାକୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଚାଲାଣ କଟିବା ଡ଼ରରେ ଲୋକେ ଘରୁ ବାହାରୁ ନଥିବା ବେଳେ କିଛି ଲୋକ ନିଜର ସବୁ କାଗଜପତ୍ର ତିଆରି କରିବା ଆରମ୍ଭ କରିଛନ୍ତି । ତେବେ ଦେଶରେ ଏଭଳି ନିୟମ ଲାଗୁ କରାଯାଇ ସାଧାରଣ ଲୋକଙ୍କଠାରୁ ଏତେ ଟଙ୍କାର ଜରିମାନା ଆଦାୟ କରାଯାଉଥିବା ବେଳେ ଲୋକେ ଏହାକୁ ବିରୋଧ କରୁଥିବା ଦେଖାଯାଉଛି । କିନ୍ତୁ ଉତ୍ତରପ୍ରଦେଶରେ ଚାଲାଣ କାଟିବା ନାଁରେ ୨ପୁଲିସକର୍ମୀ ଯେଉଁ ଲଜ୍ଜାଜନକ କାମ କରିଛନ୍ତି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି, ଯାହା ପାଇଁ ଦୁହିଁଙ୍କୁ ନିଲମ୍ବିତ ହେବାକୁ ପଡ଼ିଛି ।

ସୂଚନା ମୁତାବକ, ଜଣେ ଯୁବକ ଟ୍ରାଫିକ ନିୟମ ଉଲ୍ଲଂଘନ କରିବାରୁ ସବ୍‌-ଇନ୍ସପେକ୍ଟର ଦେବେନ୍ଦ୍ର ମିଶ୍ର ଓ କନେଷ୍ଟବଳ ମହେନ୍ଦ୍ର ପ୍ରସାଦ ମିଶି ମାଡ଼ ମାରିବା ଆରମ୍ଭ କରିଥିଲେ । ଭାଇରାଲ ହୋଇଥିବା ଭିଡିଓରେ ଦୁଇ ପୁଲିସକର୍ମୀ ପୀଡ଼ିତଙ୍କୁ ଟାଣି ନେଉଥିବା ବେଳେ ପୀଡ଼ିତଙ୍କ ସହ ଥିବା ଛୋଟ ପିଲାଟି ଗାଡ଼ି ପାଖରେ ଠିଆ ହୋଇ ରହିଥିବା ଦେଖାଯାଇଛି । ଦୁଇ ପୁଲିସକର୍ମୀ ପୀଡ଼ିତଙ୍କୁ ତଳେ ପକାଇ ଚାପୁଡ଼ା ମାରିବା ସହ ନିସ୍ତୁକ ପିଟିଥିଲେ । ତେବେ ଭିଡିଓଟି ଭାଇରାଲ ହେବା ପରେ ଦୁଇ ପୁଲିସକର୍ମୀଙ୍କ ଏଭଳି କାମ ପାଇଁ ତାଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର