ହରିଆଣାରେ ୨ ଦଳିତଙ୍କୁ ଜୀବନ୍ତ ପୋଡ଼ି ଦେବା ଘଟଣା: ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡ

0 333

ନୂଆଦିଲ୍ଲୀ: ହରିଆଣାର ମିର୍ଚପୁର ହିଂସାରେ ୨ ଜଣ ଦଳିତଙ୍କୁ ଜୀବନ୍ତ ପୋଡ଼ି ଦେବା ଭଳି ଅଭାବନୀୟ ଘଟଣାରେ ଶୁକ୍ରବାର ଦିଲ୍ଲୀ ହାଇକୋର୍ଟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ୨୦ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପୂର୍ବରୁ ନିମ୍ନ ଅଦାଳତ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ହାଇକୋର୍ଟ ଏହି ଘଟଣାରେ ସମସ୍ତ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି  ଅନ୍ୟ ୧୭ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

ଘଟଣା ଥିଲା ଏମିତି

ବର୍ଷ ୨୦୧୦ ଏପ୍ରିଲ ୨୧ରେ ହରିଆଣାର ମିର୍ଚପୁରରେ ସବର୍ଣ୍ଣ ସଂପ୍ରଦାୟର ଲୋକେ ଦଳିତ ସଂପ୍ରଦାୟର ବାପ-ଝିଅଙ୍କୁ ଜୀଅନ୍ତା ଜାଳି ଦେଇଥିଲେ। ଦଳିତ ତାରା ଚାନ୍ଦ(୭୦) ଓ ୧୭ ବର୍ଷିଅ ପୋଲିଓ ପୀଡ଼ତ ଝିଅ ସୁମନଙ୍କୁ ସବର୍ଣ୍ଣ ସଂପ୍ରଦାୟର ଲୋକେ ନିଅାଁକୁ ଫିଙ୍ଗି ଦେଇଥିଲେ। ସବର୍ଣ୍ଣ ଲୋକେ ତାରା ଚାନ୍ଦର ଘରେ ନିଅାଁ ଲଗାଇ ଦେଇଥିଲେ। ଏହି ଘଟଣାରେ ଭୟଭୀତ ହୋଇ ଗାଁର ଅନ୍ୟ ଦଳିତମାନେ ଘରଦ୍ୱାର ଛାଡ଼ି ବାହାରକୁ ଚାଲି ଯାଇଥିଲେ।

ହାଇକୋର୍ଟ ୨୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଅନୁସୂଚିତ ଜାତି ଓ ଜନଜାତି ଧାରା ଅନୁସାରେ ଦଣ୍ଡ ବିଧାନ ବ୍ୟବସ୍ଥା କରିଛନ୍ତି। ହାଇକୋର୍ଟ କହିଛନ୍ତି, ଏହି ଘଟଣାରେ ୨ଜଣ ଦଳିତଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୪ଟି ଦଳିତ ପରିବାର ଘଟଣା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଦେଶ ସ୍ୱାଧୀନତାର ୭୦ ବର୍ଷ ପରେ ବି ଦଳିତଙ୍କ ଉପରେ ହିଂସା କରାଯାଉଛି।

ମିର୍ଚପୁର ହିଂସା ଭୟଙ୍କର ଥିଲା। ରାଜ୍ୟ ସରକାର ୭୫ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ଙ୍କୁ ୬ ବର୍ଷ ପର୍ଯ୍ୟନ୍ତ ମୁତୟନ କରିଥିଲେ। ସରକାରଙ୍କ ହସ୍ତକ୍ଷେପ ପରେ ୨୦୧୬ରେ ପୁଲିସ ମୁତୟନ ଉଚ୍ଛେଦ କରାଯାଇଥିଲା। ଘଟଣାର ସମଧାନ ପାଇଁ ହରିଆଣା ପୁଲିସ ଏକ କମିଟି ଗଠନ କରିଥିଲା, ଯେଉଁଥିରେ ୨୦ ଜଣ ସଦସ୍ୟ ଥିଲେ। କିଛି ଦଳିତ ଯୁବକ ଓ ସବର୍ଣ୍ଣ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ହିଁ ହିଂସାର ମୂଳ କାରଣ ଥିଲା। ସବର୍ଣ୍ଣ ସଂପ୍ରଦାୟର ଲୋକେ ପାଖାପାଖି ୧୨ ବଖରାରେ ନିଅାଁ ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.