୨୦ ମିନିଟ୍‌ରେ ମୁମ୍ବାଇରୁ ପୁନେ: ଦେଶର ପ୍ରଥମ ହାଇପରଲୁପ୍‌ ପାଇଁ ରାଜିନାମା ସ୍ୱାକ୍ଷର

ମୁମ୍ବାଇ : ପୁନେ ଏବଂ ମୁମ୍ବାଇ ମଧ୍ୟରେ ଏକ ହାଇପରଲୁପ୍‌ ନିର୍ମାଣ ପାଇଁ ଆମେରିକାର ଏକ କମ୍ପାନି ‘ଭର୍ଜିନ୍‌ ହାଇପରଲୁପ୍‌ ଓ୍ଵାନ୍‌’ ଆଜି ମହାରାଷ୍ଟ୍ର ସରକାର ସହ ଏକ ରାଜିନାମା ସ୍ୱାକ୍ଷର କରିଛି। ଏହି ଭର୍ଜିନ ହାଇପରଲୁପ୍‌ ଓ୍ଵାନ୍‌ ଦ୍ୱାରା ଭାରତ ସାରା ବୈଶ୍ୱିକ ସ୍ତରରେ ଗମନାଗମନ କ୍ଷେତ୍ରରେ ଆଗରେ ରହିପାରିବ ଏବଂ ଏହାଦ୍ୱାରା ଭାରତର ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଯାତ୍ରା ସମୟ ଅତି କମ୍‌ରେ ୨ ଘଣ୍ଟାକୁ କମିଯିବ। ଏହି ନୂଆ ପ୍ରକଳ୍ପ ଦ୍ୱାରା ମୁମ୍ବାଇରୁ ପୁନେକୁ ଯାତ୍ରା ସମୟ ୩ ଘଣ୍ଟାରୁ ୨୦ ମିନିଟ୍‌କୁ କମିଯିବ। ତେବେ ହାଇପରଲୁପ୍‌ରେ ଯାତ୍ରା କରିବାପାଇଁ କେତେଟଙ୍କା ଲାଗିବ ସେ ନେଇ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ଭର୍ଜିନ ହାଇପରଲୁପ୍‌ ଓ୍ଵାନ୍‌ର ଅଧ୍ୟକ୍ଷ ରିଚାର୍ଡ ବ୍ରାନସନ୍‌ କହିଛନ୍ତି। ତେବେ ବିମାନ ଭଡ଼ା ପାଖାପାଖି ଏହାର ଭଡ଼ା ସମାନ ରହିବ ବୋଲି ଅନୁମାନ କରାଯାଉଛି।

ଏହାଦ୍ୱାରା୍‌ ଦୁର୍ଘଟଣାର ମାତ୍ରା କମିଯିବ। ତେବେ ଏହି ହାଇପରଲୁପ୍‌ର ମାର୍ଗ ସ୍ଥିର କରିବାନେଇ ଏବେ ଅଧ୍ୟୟନ ଜାରି ରହିଛି ଏବଂ ଆସନ୍ତା ୬ ମାସ ମଧ୍ୟରେ ଏହି ଅଧ୍ୟୟନ ଶେଷ ହେବ ବୋଲି ବ୍ରାନସନ୍‌ କହିଛନ୍ତି। ସେହିପରି ୨୦୧୯ ମସିହାରେ ପରୀକ୍ଷଣ ଟ୍ରାକ୍‌ ନିର୍ମାଣ ହେବ ଏବଂ ୨୦୨୧ ମସିହାରେ ଏହି କାର୍ଯ୍ୟ ଶେଷ ହେବ । ଯଦି ଏହି ପରୀକ୍ଷଣ ସଫଳ ହୁଏ ତେବେ ସମୁଦାୟ ମୁମ୍ବାଇ-ନାଭି ଏବଂ ମୁମ୍ବାଇ-ପୁନେ ଟ୍ରାକ୍‌ ନିର୍ମାଣ ପାଇଁ ପାଖାପାଖି ୪ ବର୍ଷ ଲାଗିଯିବ। ତେବେ ଏହି ମାର୍ଗର ନିର୍ମର୍ାଣ ଖର୍ଚ୍ଚ ପାଖାପାଖି ୨୦,୦୦୦ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଶତ ପ୍ରତିଶତ ବିଦ୍ୟୁତ୍‌ରେ ଚାଲିବାକୁ ଥିବା ଉକ୍ତ ହାଇପରଲୁପ୍‌ ବାର୍ଷିକ ୧୫୦,୦୦୦ ଟନ୍‌ ଗ୍ରୀନ୍‌ହାଉସ୍‌ ଗ୍ୟାସ ନିଃସରଣ କମାଇଦେବ ଏବଂ ଏଥିସହ ଦୁର୍ଘଟଣାର ମାତ୍ରା ମଧ୍ୟ କମାଇଦେବ। ଉକ୍ତ ପଦ୍ଧତିଟିରେ ବାର୍ଷିକ ୧୫୦ ମିଲିଅନ ଯାତ୍ରୀ ଯାତ୍ରା କରିବାର କ୍ଷମତା ରଖିଛି। ପ୍ରଥମେ ମୁମ୍ବାଇ ପୁନେ ମାର୍ଗରେ ଉକ୍ତ ପ୍ରକଳ୍ପ ଆରମ୍ଭ ହୋଇ ପରେ ଦେଶର ଅନ୍ୟ ପ୍ରମୁଖ ସହର ଗୁଡ଼ିକରେ ମଧ୍ୟ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର