ପାହାଡି ରାଜ୍ୟରେ ହେବ ୨୦୦ କୋଟିର ବାହାଘର, ଫୁଲରେ ସଜେଇ ହେଲାଣି ପୁରା ସହର

ଓଲି: ନିଜର ଅପରୂପ ସୌନ୍ଦର୍ଯ୍ୟ ଓ ସୁଉଚ୍ଚ ପର୍ବତମାଳା ପାଇଁ ସାରା ବିଶ୍ୱର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ ଉତ୍ତରାଖଣ୍ଡ | ଏବେ ଉତ୍ତରାଖଣ୍ଡର ଓଲି ସହର ବିଦେଶୀ ଫୁଲରେ ସଜେଇହୋଇଛି | କାରଣ ଓଲିରେ ଆସନ୍ତା ୨୦ ତାରିଖ ଦିନ ହେବାକୁ ଯାଉଛି ଏକ ଦାମୀ ବାହାଘର | ପାଖାପାଖି ୨୦୦ କୋଟି ଟଙ୍କାର ବ୍ୟୟ ହେବାକୁ ଥିବା ଏହି ବିବାହରେ ଦେଶବିଦେଶର ଅନେକ ପ୍ରମୁଖ ବ୍ୟକ୍ତି ଅତିଥି ଭାବେ ଯୋଗଦେବେ | କେବଳ ବିବାହ ମଣ୍ଡପରେ ୫ କୋଟି ଟଙ୍କାର ଫୁଲ ବ୍ୟବହାର କରାଯାଇଛି | ସୁଇଜରଲାଣ୍ଡରୁ ସ୍ୱତନ୍ତ୍ର ଭାବେ ଏହି ଫୁଲକୁ ଅଣାଯାଇ ବିବାହ ମଣ୍ଡପରେ ଲଗାଯାଇଛି |

PHOTO-AMARUJALA

ପ୍ରବାସୀ ଭାରତୀୟ ଗୁପ୍ତା ବନ୍ଧୁ ନିଜ ପୁଅର ବିବାହ ପାଇଁ ଏସବୁର ଆୟୋଜନ କରାଇଛନ୍ତି | ଦୁନିଆର ପ୍ରମୁଖ ଧନୀଙ୍କ ତାଲିକାରେ ଏହି ଦୁଇ ପ୍ରବାସୀ ଭାରତୀୟଙ୍କ ନାମ ମଧ୍ୟ ଆସେ | ଦୁବାଇରେ ରହୁଥିବା ଦୁଇ ଭାରତୀୟ ଅଜୟ ଗୁପ୍ତା ଓ ତାଙ୍କ ବନ୍ଧୁ ଅତୁଲ ଗୁପ୍ତା ସେମାନଙ୍କ ପୁଅମାନଙ୍କର ବିବାହ ଓଲି ରେ କରିବାକୁ ମନସ୍ଥ କରିଥିଲେ | ଯେଉଁଥିପାଇଁ ଏକ ଇଭେଣ୍ଟ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା | ଅତିଥିଙ୍କ ରହିବା ପାଇଁ ସ୍ୱତନ୍ତ୍ର ଭାବେ ହୋଟେଲର ନିର୍ମାଣ କରାଯାଇଥିବାବେଳେ ଉତ୍ତରାଖଣ୍ଡର ସବୁ ହୋଟେଲକୁ ବୁକ କରିଦିଆଯାଇଛି |

PHOTO-AMARUJALA

ସେହିପରି ଅତିଥିଙ୍କ ହେଲିକପ୍ଟର ଅବତରଣ ପାଇଁ ଅସ୍ଥାୟୀ ଭାବରେ ୮ଟି ହେଲିପ୍ୟାଡ଼ ମଧ୍ୟ ନିର୍ମାଣ କରାଯାଇଛି | ଉତ୍ତରାଖଣ୍ଡ ସରକାରଙ୍କ କହିବା ମୁତାବକ ଏଭଳି ବିବାହ ଉତ୍ସବ ରାଜ୍ୟର ପର୍ଯ୍ୟଟନ ଶିଳ୍ପକୁ ଲାଭ ଦେବ | ବିବାହକୁ ଆସୁଥିବା ଅନେକ ବିଦେଶୀ ଅତିଥି ମଧ୍ୟ ଭଵିଷ୍ୟତରେ ଆସିବେ ବୋଲି ରାଜ୍ୟ ସରକାର ମଧ୍ୟ ଏହି ବିବାହକୁ ସଫଳ କରାଇବାରେ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି |

ଏହି ବିବାହ କାର୍ଯ୍ୟକ୍ରମରେ ଅନେକ ବଲିଉଡ କଳାକାରଙ୍କ ସହ ଦେଶର ବିଶିଷ୍ଟ ବ୍ୟକ୍ତି ସାମିଲ ହେବେ | ଅଭିନେତ୍ରୀ କ୍ୟାଟ୍ରିନା କୈଫ, ସିଦ୍ଧାର୍ଥ ମାଲହୋତ୍ରା, ଯୋଗ ଗୁରୁ ବାବା ରାମଦେବ, ଆଚାର୍ଯ୍ୟ ବାଳକୃଷ୍ଣଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ | ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ବିବାହ ପାଇଁ ଓଲି ସହର ଉପରେ ଏବେ ସମସ୍ତଙ୍କର ନଜର ରହିଛି |

 

ସମ୍ବନ୍ଧିତ ଖବର