ଅନୁପ୍ରବେଶ ଅପେକ୍ଷାରେ ୨୦୦ ଆତଙ୍କବାଦୀ

ଶ୍ରୀନଗର : ନିୟନ୍ତ୍ରଣ ରେଖା ଅଞ୍ଚଳରେ ୨୦୦ରୁ ଅଧିକ ପାକିସ୍ତାନୀ ଆତଙ୍କବାଦୀ ଏବେ ଭାରତରେ ପଶିବାକୁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଗୁଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ମିଳିବା ପରେ ସେନା ସର୍ବାଧିକ ଆଲର୍ଟରେ ରହିଛି। କଶ୍ମୀରର ପୁଂଚ, ନୌସେରା, ସୋପିଆନ, ଗନ୍ଦେରଓ୍ଵାଲ ଏବଂ କୁଲଗାମ ଅଂଚଳରେ ଏହି ଆତଙ୍କବାଦୀ ପଶିବାକୁ ଯୋଜନା କରିଥିବା ଜଣାପଡ଼ିବା ପରେ ଉପଗ୍ରହ ମାଧ୍ୟମରେ ବି ସେମାନଙ୍କ ଗତିବିଧି ଉପରେ ନଜର ରଖାଯାଉଛି।

ଏଲ୍‌୍‌ଓସିରେ ଚାଲିଥିବା ଆତଙ୍କବାଦୀ ଶିବିରଗୁଡ଼ିକରେ ତାଲିମ ପାଇଥିବା ଏହି ଆତଙ୍କବାଦୀଙ୍କୁ ଭାରତରେ ପଶାଇବା ପାଇଁ ପାକିସ୍ତାନ ସେନା ଜୋର୍‌ଦାର ପ୍ରୟାସ ଚଳାଇଛି। ତେବେ ଅମରନାଥ ଯାତ୍ରାକୁ ସୁରକ୍ଷିତ ରଖିବା ପାଇଁ ଭାରତୀୟ ସେନା ସବୁକ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବାରୁ ଆତଙ୍କବାଦୀଙ୍କ ସମୂହ ଅନୁପ୍ରବେଶ ସମ୍ଭବ ହୋଇପାରି ନାହିଁ। ସମସ୍ତ ସମ୍ଭାବ୍ୟ ପ୍ରବେଶ ପଥ ଅଂଚଳରେ ସେନା ମୁତୟନ ବଢ଼ାଇ ଦିଆଯାଇଛି । ପାକିସ୍ତାନୀ ରେଂଜର୍ସ ଓ ସ୍ନାଇପର୍‌ମାନେ ଆତଙ୍କବାଦୀଙ୍କ ଅନୁପ୍ରବେଶ ପାଇଁ ବଡ଼ ଧରଣର ଅସ୍ତ୍ରବିରତି ଉଲ୍ଲଂଘନ କରିବା ସମ୍ଭାବନା ଥିବାରୁ ଭାରତୀୟ ସେନା ମଧ୍ୟ ଏହାର ଉଚିତ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି । ଶ୍ରୀନଗରରେ ଏବେ ଏନ୍‌୍‌ଏସ୍‌୍‌ଜି କମାଣ୍ଡୋ ମହଜୁଦ୍‌ ଥିବାରୁ ଏଲ୍‌୍‌ଓସିରେ କୌଣସି ବଡ଼ ଅପରେସନ ସମ୍ଭବନା ନେଇ ମଧ୍ୟ ଚର୍ଚ୍ଚା ଚାଲିଛି।

ଆଜି ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ଵତ ରାଜ୍ୟପାଳ ଏନ.ଏନ.ଭୋରାଙ୍କୁ ଭେଟି ମଧ୍ୟ ରାଜ୍ୟର ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଅମରନାଥ ଯାତ୍ରା ସମୟରେ ଆତଙ୍କବାଦୀମାନେ କଶ୍ମୀର ଘାଟିରେ କୌଣସି ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ତେଣୁ ଜମ୍ମୁର ଭଗବତୀ ନଗରଠାରୁ ବାବା ବର୍ଫାନି ମୁଖ୍ୟ ଗୁମ୍ଫା ଯାଏଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଏହି ଯାତ୍ରା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର, ଜମ୍ମ-କଶ୍ମୀର ପୁଲିସ୍‌,ଏନଏସ୍‌ଜି କମାଣ୍ଡୋ, ସିଆରପିଏଫ ଓ ବିଏସ୍‌ଏଫଙ୍କୁ ନିୟୋଜିତ କରାଯାଇଛି।
ଜମ୍ମୁ-କଶ୍ମୀରରେ ସେନାର ଅପରେସନ ଅଲଆଉଟ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ସପ୍ତାହକ ମଧ୍ୟରେ ୧୪ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେନାର ଏହି ଅପରେସନ ଭୟରେ ଆତଙ୍କବାଦୀମାନେ ଏବେ ଆତ୍ମଗୋପନ କରୁଛନ୍ତିି। କଶ୍ମୀରରେ ଲେଫ୍ଟନାଣ୍ଟ ଜେନେରାଲ ଏକେ ଭଟ୍ଟ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏବେ ବି କଶ୍ମୀର ଘାଟିରେ ୨୮୦ ଆତଙ୍କବାଦୀ ସକ୍ରିୟ ରହିଛନ୍ତି।

ସମ୍ବନ୍ଧିତ ଖବର