୨୦୦ ପୂର୍ବତନ ଏମ୍‌ପି ମାଡ଼ି ବସିଛନ୍ତି ବଙ୍ଗଳା, ୭ ଦିନ ଭିତରେ ଖାଲି କରିବାକୁ ନିର୍ଦ୍ଦେଶ

୩ ଦିନ ଭିତରେ କାଟି ଦିଆଯିବ ବିଜୁଳି, ପାଣି, ଗ୍ୟାସ ସଂଯୋଗ

ନୂଆଦିଲ୍ଲୀ: କାର୍ଯ୍ୟକାଳ ‌ଶେଷ ହୋଇଥିଲେ ମଧ୍ୟ ଲୋକସଭାର ୨୦୦ରୁ ଅଧିକ ଏମ୍‌ପି ଦିଲ୍ଲୀରେ ସେମାନଙ୍କ ବଙ୍ଗଳା ଏପର୍ଯ୍ୟନ୍ତ ଖାଲି କରିନାହାନ୍ତି। ଫଳରେ ସରକାର ଏ ନେଇ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। ୭ ଦିନ ଭିତରେ ବଙ୍ଗଳା ଖାଲି କରିବା ପାଇଁ ସୋମବାର ଲୋକସଭାର ହାଉସିଂ କମିଟି ନିର୍ଦ୍ଦେଶ ଦେଇଛି। କମିଟିର ଅଧ୍ୟକ୍ଷ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଆଜି ଏଠାରେ ଏକ ବୈଠକ ଅନୁଷ୍ଠିତ ‌ହୋଇ ଏଭଳି ନିଷ୍ପତ୍ତି ହୋଇଛି। ଏପରିକି ୩ ଦିନ ଭିତରେ ବିଜୁଳି, ପାଣି ଏବଂ ଗ୍ୟାସ ସଂଯୋଗ ବଙ୍ଗଳା ଗୁଡ଼ିକୁ ବିଚ୍ଛିନ୍ନ କରିବା ଲାଗି କମିଟି ନିଷ୍ପତ୍ତି ନେଇଛି। ନିୟମ ଅନୁଯାୟୀ, ଲୋକସଭା ଭଙ୍ଗ ହେବାର ୧ ମାସ ଭିତରେ ଏମ୍‌ପିମାନେ ସେମାନଙ୍କ ବଙ୍ଗଳା ଛାଡ଼ିବା କଥା। ଗତ ମେ ୨୫ ତାରିଖରୁ ‌ଷୋଡ଼ଶ ଲୋକସଭା ଭଙ୍ଗ ହୋଇ ସାରିଛି। ଏହାର ୧ ମାସ ଅର୍ଥାତ୍ ଜୁନ୍ ୨୫ ମଧ୍ୟରେ ପୂର୍ବତନ ଏମପିମାନେ ସେମାନଙ୍କ ବଙ୍ଗଳା ଖାଲି କରିବାର ନିୟମ ରହିଛି। କିନ୍ତୁ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ପୂର୍ବତନ ଏମପି ସେମାନଙ୍କ ବଙ୍ଗଳା ଖାଲି କରିନାହାନ୍ତି। ପୂର୍ବତନ ଏମପିମାନେ ସରକାରୀ ବଙ୍ଗଳା ଖାଲି କରି ନଥିବାରୁ ନବ ନିର୍ବାଚିତ ଏମପିମାନେ ଅସ୍ଥାୟୀଭାବେ ଅନ୍ୟତ୍ର ରହୁଛନ୍ତି।

ସମ୍ବନ୍ଧିତ ଖବର