୨୦୦୭ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲା: ଅସୀମାନନ୍ଦଙ୍କ ସମେତ ସମସ୍ତ ଅଭିଯୁକ୍ତ ଦୋଷମୁକ୍ତ

ନୂଆଦିଲ୍ଲୀ: ଆଜି ହାଇଦ୍ରାବାଦ ଠାରେ ଏକ ସ୍ୱତନ୍ତ୍ର ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି କୋର୍ଟ ୨୦୦୭ ମକ୍କା ମସ୍‌ଜିଦ୍‌ ବିସ୍ଫୋରଣ ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ବିସ୍ଫୋରଣରେ ୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ଏହି ବିସ୍ଫୋରଣ ମାମଲାରେ ଦକ୍ଷିଣ-ପନ୍ଥୀ ସଂଗଠନର ସଦସ୍ୟ ବୋଲି କୁହାଯାଉଥିବା ସମୁଦାୟ ୧୦ ଜଣଙ୍କୁ ଅଭିଯକ୍ତ କରାଯାଇଥିଲା।
ସେମାନଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣଙ୍କୁ ଗିରଫ କରାଯାଇ ବିଚାରର ସମ୍ମୁଖୀନ କରାଯାଇଥିଲା। ସେମାନେ ହେଲେ ଦେବେନ୍ଦ୍ର ଗୁପ୍ତ, ଲୋକେଶ ଶର୍ମା, ସ୍ୱାମୀ ଅସୀମା ନନ୍ଦ ଓରଫ ନବ କୁମାର ସର୍କାର, ଭରତ ମୋହନଲାଲ ରାତେଶ୍ୱର ଓରଫ୍‌ ଭରତ ଭାଇ ଏବଂ ରାଜେନ୍ଦ୍ର ଚୌଧୁରୀ।

ଦୁଇ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦ ଏବଂ ଭାରତ ମୋହନଲାଲ ରତେଶ୍ୱର ଜାମିନ ପାଇ ବାହାରି ଆସିଥିଲା ବେଳେ ଅନ୍ୟ ତିନି ଜଣ ବିଚାର ବିଭାଗୀୟ ରିମାଣ୍ଡ୍‌ହର ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ କାରାଗାରରେ ଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ସନ୍ଦୀପ ଭି ଡାଙ୍ଗେ ଏବଂ ରାମଚନ୍ଦ୍ର କଲସାଙ୍ଗ୍ରା ଫେରାର ଅଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ସୁନୀଲ ଯୋଶୀଙ୍କର ଦେହାନ୍ତ ହୋଇ ଯାଇଛି। ଆହୁରି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି।
ଚତୁର୍ଥ ଅତିରିକ୍ତ ମେଟ୍ରୋପଲିଟାନ୍‌ ସେସନ୍‌ ଅଦାଲତ ତଥା ଏନ୍‌ଆଇଏ ପାଇଁ ସ୍ୱତନ୍ତ୍ର ଅଦାଲତ ବିଚାର ଶେଷ କରି ଏପ୍ରିଲ୍‌ ୧୬ ତାରିଖ ଦିନ ରାୟ ଶୁଣାଇବାକୁ ଗତ ସପ୍ତାହରେ ଦିନ ଧାର୍ଯ୍ୟ କରିଥିଲେ।

ସ୍ଥାନୀୟ ପୁଲିସ ଦ୍ୱାରା ପ୍ରାଥମିକ ତଦନ୍ତ କରାଯିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା।
୨୦୧୧ରେ ସିବିଆଇ ଠାରୁ ଏହି ମାମଲା ଏନ୍‌ଆଇଏ ନେଇଥିଲା।

ବିଚାର ସମୟରେ ସମୁଦାୟ ୨୨୬ ଜଣ ସାକ୍ଷୀଙ୍କୁ ପଚରା ଯାଇଥିଲା ଓ ୪୧୧ଟି ଦଲିଲ୍‌ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର