୨୦୦୭ ହାଇଦ୍ରାବାଦ ବିସ୍ଫୋରଣ ମାମଲା :ଦୁଇ ଜଣଙ୍କୁ ଫାଶୀ, ଜଣଙ୍କୁ ଆଜୀବନ ଜେଲ୍‌

ହାଇଦ୍ରାବାଦ: ୨୦୦୭ ହାଇଦ୍ରାବାଦ ବିସ୍ଫୋରଣ ମାମଲାରେ ଏନ୍‌ଆଇଏର ସ୍ୱତନ୍ତ୍ର ଆଦଲତ ଆଜି ଇଣ୍ଡିଆନ୍‌ ମୁଜାହିଦ୍ଦିନ ଆତଙ୍କବାଦୀ ଅନିକ ସୟିଦ ଏବଂ ଇସ୍‌୍‌ମାଇଲ ଚୌଧୁରୀକୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ତୃତୀୟ ଆତଙ୍କବାଦୀ ତାରିକ ଅଂଜୁମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଅନ୍ୟ ୨ ଜଣ ଅଭିଯୁକ୍ତ ଫାରୁକ୍‌ ସର୍‌ଫୁଦ୍ଦିନ ଏବଂ ସାଦିକ୍‌ ଅହମ୍ମଦ ଶେଖ୍‌୍‌କୁ ପ୍ରମାଣ ଅଭାବରୁ ଖଲାସ କରାଯାଇଛି। ୨୫ ଅଗଷ୍ଟ ୨୦୦୭ରେ ହାଇଦ୍ରାବାଦରେ ଦୁଇଟି ବଡ଼ ବୋମା ବିସ୍ଫୋରଣ ହୋଇଥିଲା ଏବଂ ଏଥିରେ ୪୪ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୬୮ ଜଣ ଆହତ ହୋଇଥିଲେ। ହାଇଦ୍ରାବାଦର ଲୁମ୍ବିନି ପାର୍କ ଏବଂ ‘ଗୋକୁଲ ଚାଟ୍‌ ଭଣ୍ଡାର’ରେ ଏହି ବିସ୍ଫୋରଣ ଘଟିଥିଲା।
୧୧ ବର୍ଷ ତଳର ଏହି ବିସ୍ଫୋରଣ ମାମଲାରେ ଗତ ସପ୍ତାହରେ ଅତିରିକ୍ତ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ସେସନ୍ସ କୋର୍ଟ ବିଚାରପତି ଟି ଶ୍ରୀନିବାସ ରାଓ ଦୁଇ ମୁଖ୍ୟ ଅଭିଯୁକ୍ତ ସୟିଦ ଏବଂ ଇସ୍‌୍‌ମାଇଲକୁ ଦୋଷୀସାବ୍ୟସ୍ତ କରିଥିଲେ। ତାରିକ୍‌ ଅଞ୍ଜୁମ୍‌୍‌ ଉକ୍ତ ବିସ୍ଫୋରଣ ପରେ ଅଭିଯୁକ୍ତମାନଙ୍କୁ ଆଶ୍ରୟସ୍ଥଳ ଯୋଗାଇଥିବାରୁ ତାକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ତେବେ ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ରିୟାଜ ଭଟ୍‌କଲ, ଇକବାଲ ଭଟ୍‌କଲ ଏବଂ ଅମୀର ରେଜା ଏଯାବତ୍‌ ଫେରାର ରହିଥିବା ଜଣାପଡ଼ିଛି। ସେମାନେ ପାକିସ୍ତାନରେ ଥାଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ମାମଲାର ତଦନ୍ତ କରୁଥିବା ତେଲେଙ୍ଗାନା ପୁଲିସ ଏହି ମାମଲାରେ ୫ ଆଇଏମ୍‌ ଆତଙ୍କବାଦୀଙ୍କୁ ଗିରଫ କରିଥିଲା। ତେବେ ମାମଲାରେ ସମୁଦାୟ ୮ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛି। ସମସ୍ତଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅଧୀନରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର