୨୦୦୮ ଦିଲ୍ଲୀ ସିରିଜ୍‌ ବିସ୍ଫୋରଣ: ୨୦ ହଜାର ବଲ୍‌ ବିୟରିଂ କିଣିଥିଲା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ୨୦୦୮ରେ ଘଟିଥିବା ସିରିଜ୍‌ ବୋମା ବିସ୍ଫୋରଣରେ ୩୦ ଜଣ ପ୍ରାଣ ହରାଇଥିଲେ। ୧୩ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଧମାକା ଏତେ ଭୟାନକ ଥିଲା ଯେ ସମଗ୍ର ରାଜଧାନୀ ଥରିଉଠିଥିଲା। ଏହି ବିସ୍ଫୋରଣ ପାଇଁ ୨୦,୦୦୦ ସାଇକଲ୍‌ ବଲ୍‌ ବିୟରିଂ ବ୍ୟବହାର କରାଯାଇଥିବା ଚାର୍ଜସିଟ୍‌ରୁ ଜଣାପଡ଼ିଛି। ଆତଙ୍କବାଦୀ ସଂଗଠନ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ସଦସ୍ୟ ଆରିଜ୍‌ ଖାନ୍‌ ଓରଫ୍‌ ଜୁନୈଦ ଏହାକୁ କିଣିଥିଲା। ଜୁନୈଦ୍‌ ଏହି ଆକ୍ରମଣର ମୁଖ୍ୟ ଥିଲା। ଦିଲ୍ଲୀ ପୁଲିସ ୬ ମାସ ତଳେ ଭାରତ-ନେପାଳ ସୀମାରୁ ତାକୁ ଗିରଫ କରିଥିଲା। ତା’ ବିରୋଧରେ ଚାର୍ଜସିଟ୍‌ ହୋଇଛି। ଦିଲ୍ଲୀ ସିରିଏଲ୍‌ ବୋମା ବିସ୍ଫୋରଣ ୨୦୦୮ ସେପ୍ଟେମ୍ବର ୧୩ରେ ଘଟିଥିଲା। କିନ୍ତୁ ଏଥିପାଇଁ ଆତଙ୍କବାଦୀ ଜୁନୈଦ ବହୁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା। ୨୦୦୮ ମେ ୧୦ ତାରିଖରେ ଜୁନୈଦ ଦିଲ୍ଲୀର ଚାନ୍ଦିନୀଚୌକ୍‌ସ୍ଥିତ ଏସ୍‌ପ୍ଲାନେଡ୍‌ ରୋଡ୍‌କୁ ଯାଇଥିଲା। ସେଠାରେ ଥିବା ଏକ ସାଇକଲ୍‌ ଷ୍ଟୋର୍‌ରୁ ସେ ୨୦,୦୦୦ ସାଇକଲ୍‌ ବଲ୍‌ ବିୟରିଂ କିଣିଥିଲା। ଦୋକାନୀ ଜଣକ କୌଣସି ପ୍ରଶ୍ନ ନକରି ଏହାକୁ ଦେଇଥିଲେ। କିନ୍ତୁ ଜୁନୈଦ ନିଜ ନାମ ରାହୁଲ ଶର୍ମା ଏବଂ ସେ ଜଣେ ଛାତ୍ର ବୋଲି ଦର୍ଶାଇ ଏହି ବିୟରିଂ କ୍ରୟ କରିଥିଲା। ପରେ ସେ ଏହାକୁ ଆଇଇଡି (ଇମ୍ପ୍ରୁଭାଇଜ୍‌ଡ ଏକ୍ସପ୍ଲୋସିଭ୍‌ ଡିଭାଇସ୍‌) ତିଆରିରେ ବ୍ୟବହାର କରିଥିଲା। ବିସ୍ଫୋରଣ ପରେ ବଟ୍‌ଲା ହାଉସ୍‌ ନିକଟରେ ପୁଲିସ ଏନ୍‌କାଉଣ୍ଟର କରିଥିଲା ଏବଂ ଏହି ସମୟରେ କିଛି ବଳକା ବିୟରିଂ ଜବତ ହୋଇଥିଲା। ଦିଲ୍ଲୀ ପୁଲିସ ପକ୍ଷରୁ ନିକଟରେ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରୁ ଏଭଳି ରୋଚକ ତଥ୍ୟ ମିଳିଛି।

ଚାର୍ଜସିଟ୍‌ରେ ଜୁନୈଦର କିଛି ଭଏସ୍‌ କଲ୍‌ ରେକର୍ଡିଂ କଥା ଉଲ୍ଲେଖ କରାଯାଇଛି। ତା’ର ମୋବାଇଲ୍‌ ନମ୍ବର ୯୮୧୧୦୦****କୁ ମଧ୍ୟ ପୁଲିସ ଆକ୍ସେସ୍‌ କରିଥିଲା। ଏଥିରେ ଥିବା ସ୍ୱର ଜୁନୈଦ ଖାନ୍‌ର ସ୍ୱର ସହ ମେଳ ଖାଉଛି। ଏମିତି କି ତା’ର କିଛି ଦସ୍ତଖତ (ଅଲ୍‌ ଆର୍‌ବି ଓ ଗୁରୁ ଅଲ୍‌ ହିନ୍ଦୀ) ମଧ୍ୟ ଜବତ ହୋଇଛି। ବିସ୍ଫୋରଣ ପରେ ସେ ଦସ୍ତଖତ ସମ୍ବଳିତ ଇମେଲ୍‌ କରିଥିଲା। ତେଣୁ ବିସ୍ଫୋରଣ ଘଟାଇବା ପାଇଁ ସେ ହିଁ ଦାୟିତ୍ୱ ନେଇଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଯାଇଛି। ଗୁଜରାଟ ବିସ୍ଫୋରଣ ଘଟଣାରେ ମଧ୍ୟ ସମାନ ଦସ୍ତଖତ ସମ୍ବଳିତ ଇମେଲ୍‌ ଠାବ କରାଯାଇଛି। ଦିଲ୍ଲୀ ବିସ୍ଫୋରଣ ଅଞ୍ଚଳର ସିସିଟିଭି ଫୁଟେଜ୍‌ରେ ମଧ୍ୟ ଜୁନୈଦକୁ ଦେଖିବାକୁ ମିଳିଛି। ସେ ଏହି ସମୟରେ ଏକ କ୍ୟାପ୍‌, ନୀଳ ରଙ୍ଗର ଜିନ୍ସ ଓ ଏକ ଟି-ସାର୍ଟ ପିନ୍ଧି ବୁଲାବୁଲି କରିଥିବା ଚାର୍ଜସିଟ୍‌ରୁ ଜଣାପଡ଼ିଛି। ୫୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟ୍‌ ଅନୁସାରେ ବଲ୍‌ ବିୟରିଂ ହାସଲ ପରେ ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ ସଦସ୍ୟ ଆତିଫ୍‌ ଅମୀନ୍‌, ସୈଫ୍‌ ଓ ଖାଲିଦ୍‌ ବିସ୍ଫୋରକ ଆଣିବା ପାଇଁ ଜୁଲାଇ ୨୮ରେ ଦିଲ୍ଲୀରୁ କର୍ଣ୍ଣାଟକର ଉଡୁପିକୁ ଚାଲିଯାଇଥିଲେ। ଅଗଷ୍ଟ ୩୧ରେ ସେମାନେ ପୁଣି ଦିଲ୍ଲୀ ଫେରିଆସିଥିଲେ। ପରେ ସେପ୍ଟେମ୍ବର ୮ ତାରିଖରେ ଲକ୍ଷ୍ନୌରୁ ହାକିମ୍‌ ବାଗା ଆସିଥିଲା। ସେମାନେ ବଟ୍‌ଲା ହାଉସ୍‌ସ୍ଥିତ ଏଲ୍‌-୧୯ରେ ଏକାଠି ହୋଇଥିଲେ। ପରେ ସେମାନେ କନ୍ନଟ୍‌ ପ୍ଲେସ୍‌ ଆସି ଜନଗହଳିପୂର୍ଣ୍ଣ ଅଞ୍ଚଳ ଠାବ କରିବାକୁ ଆସିଥିଲେ। ଅଧିକରୁ ଅଧିକ ଲୋକଙ୍କୁ ମୃତାହତ କରିବା ସେମାନଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା।

ସମ୍ବନ୍ଧିତ ଖବର