ଦ୍ୱାଦଶ ଶ୍ରେଣୀ ପରୀକ୍ଷା କେନ୍ଦ୍ରରୁ ଜବତ୍‌ ହେଲା ୨୦୦ କିଲୋ କପି

ଅହମଦାବାଦ: ଟୁକୁରା କପି କାଗଜ ବି ଓଜନ କରାଯାଇ ପାରେ। ମାର୍ଚ ଦ୍ୱିତୀୟ ସପ୍ତାହରେ ଜୁନାଗଧ ଅନ୍ତର୍ଗତ ବନ୍ତାଳି ସହରର ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା କେନ୍ଦ୍ରରୁ ଗୁଜରାଟ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିକାରୀମାନେ ୨୦୦ କେଜିରୁ ଊର୍ଦ୍ଧ୍ୱ କପି କାଗଜ ଟୁକୁରା ଜବତ କରିବା ପରେ ଏହା ସମ୍ଭବ ହୋଇଛି। ମାଇକ୍ରୋ ଜେରକ୍ସ୍‍ କରାଯାଇଥିବା ଉତ୍ତର ଥିବା ଏଭଳି ୨୦ ବସ୍ତା କପି ଟୁକୁରା ପାଇଁ ବୋର୍ଡ ଅଧିକାରୀମାନଙ୍କୁ ରିକ୍ୟୁଜିସନ୍‌ କରିବାକୁ ପଡ଼ିଥିଲା।

ବୁଧବାର ଦିନ ଗୁଜରାଟ ବୋର୍ଡର ପରୀକ୍ଷା କମିଟି ଏ କଥା ଘୋଷଣା କରିବା ସହ ସମ୍ପୃକ୍ତ ପରୀକ୍ଷା କେନ୍ଦ୍ରଗୁଡ଼ିକର କୋଅର୍ଡିନେଟର୍‌ ଏବଂ ଇନ୍‌ଭିଜିଲେଟର୍‌ମାନଙ୍କୁ ଡକାଇବାକୁ ସ୍ଥିର କରିଛି।

ବୋର୍ଡର ଉପସଭାପତି ଏନ୍‌ସି ଶାହା କହନ୍ତି: କପି କରୁଥିଲେ ବୋଲି ଅଭିଯୋଗ ହୋଇଥିବା ୧୫ ଜଣ ଛାତ୍ରଛାତ୍ରୀଙ୍କୁ ଆମେ ଡକାଇଥିଲୁ। ମେ ୩୧ ତାରିଖ ଦିନ ଆମେ ସମସ୍ତ ସୁପର ଭାଇଜର୍‌ ଏବଂ କେନ୍ଦ୍ର କୋଅର୍ଡିନେଟର୍‌ମାନଙ୍କୁ ଡକାଇବୁ।

୧୫ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ଆମେ କପି ମାମଲା ରୁଜୁ କରିଛୁ। ଛାତ୍ରଛାତ୍ରୀମାନେ ନିଜେ ଦାଖଲ କରିଥିବା କିଂବା ବୋର୍ଡ ଅଧିକାରୀମାନେ ପାଇଥିବା କପି ଟୁକୁରାଗୁଡ଼ିକୁ ଆମେ ସଂଗ୍ରହ କରିଥିଲୁ। ତା’ର ପରିମାଣ ୨୦୦ କେଜିରୁ ଅଧିକ ହେବ ବୋଲି କହିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ବି ଏସ୍‌ କେଲା।

ସମ୍ବନ୍ଧିତ ଖବର